ପରମବୀର ଗଲେ ସୁପ୍ରିମକୋର୍ଟ

ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ଚିଠିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ସୋମବାର ପରମବୀର ଆଉ ଏକ ପାଦ ଆଗକୁ ବଢ଼ି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଅନେକ ପ୍ରକାର ଦୁର୍ନୀତିରେ ଲିପ୍ତ ରହିଛନ୍ତି, ତାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯାଉ ବୋଲି ସେ ପିଟିସନରେ ଦର୍ଶାଇଛନ୍ତି। ଏଥିସହ ତାଙ୍କୁ ବେଆଇନ ଭାବେ ମୁମ୍ବାଇ ପୋଲିସ କମିଶନର ପଦରୁ ହୋମଗାର୍ଡ ମହାନିର୍ଦେଶକ ପଦକୁ ବଦଳି କରାଯାଇଥିବାରୁ ଏହି ଆଦେଶକୁ ଖାରଜ କରିବା ପାଇଁ ମଧ୍ୟ ସେ ପିଟିସନରେ ଦର୍ଶାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଏକଦା ମହାରାଷ୍ଟ୍ର ସରକାରଙ୍କ ଏକାନ୍ତ ବିଶ୍ବସ୍ତ ଭାବେ କାର୍ଯ୍ୟ କରୁଥିବା ପରମବୀର ସିଂଙ୍କୁ ହୋମଗାର୍ଡ ଡିଜି ପଦକୁ ବଦଳି କରାଯିବା ପରେ ସେ ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଗୁରୁତର ଅଭିଯୋଗକୁ ନେଇ ମହାରାଷ୍ଟ୍ର ସରକାରରେ ଅସ୍ଥିରତା ଦେଖାଦେଇଛି। ଏନଆଇଏ ହେପାଜତରେ ଥିବା ନିଲମ୍ବିତ ଏପିଆଇ ସଚିନ ୱାଜେଙ୍କୁ ଦେଶମୁଖ ମାସିକ ୧ କୋଟି ଟଙ୍କା ବଟି ଅସୁଲି ପାଇଁ ଟାର୍ଗେଟ ଦେଇଥିଲେ ବୋଲି ଖୋଲାଖୋଲି କହିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପରଠାରୁ ମହାରାଷ୍ଟ୍ର ରାଜନୀତିରେ ହଲଚଲ ହୋଇଛି।

Related Articles

Leave a Reply

Your email address will not be published.

Back to top button