ଦିଲ୍ଲୀ ସରକାରଙ୍କ ଅନୁକମ୍ପା ରାଶି ଘୋଷଣା

କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ସରକାର କୋଭିଡ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁକମ୍ପା ରାଶି ଘୋଷଣା କରି କହିଛନ୍ତି ଯେ ଯେଉଁ ପରିବାର କୋରୋନାରେ ଜଣଙ୍କୁ ହରାଇଛନ୍ତି, ସେହି ପରିବାରକୁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବେ। ଆଉ ଯଦି ମୃତକ ନିଜେ ରୋଜଗାରିଆ ଥିଲେ ବୋଲି ପ୍ରମାଣ ମିଳିବ, ତାହେଲେ ସେହି ପରିବାରକୁ ମାସିକ ୨୫ ଶହ ଟଙ୍କା ଲେଖାଏଁ ବି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏଥିସହ କେଜରିୱାଲ ଆହୁରି ଘୋଷଣା କରିଛନ୍ତି ଯେ ଯେଉଁ ପିଲା ଏହି କୋରୋନାରେ ସେମାନଙ୍କର ପିତାମାତା କିମ୍ବା ସେମାନଙ୍କ ଭିତରୁ କାହାକୁ ଜଣଙ୍କୁ ହରାଇଥିଲେ ମାସିକ ୨୫ ଶହ ଟଙ୍କା ଲେଖାଏଁ ପାଇବେ। ଦିଲ୍ଲୀ କ୍ୟାବିନେଟରେ ଏନେଇ ପ୍ରସ୍ତାବ ପାରିତ ହେବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀରେ ୭୨ ଲକ୍ଷ ରାସନ କାର୍ଡ ହୋଲ୍ଡରଙ୍କୁ ଚଳିତ ମାସରେ ୧୦ କେଜି ଲେଖାଏଁ ରାସନ ମାଗଣା ଦିଆଯିବ। ଆଉ ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ, ସେମାନେ ବି ମାଗଣା ରାସନ ପାଇବେ ବୋଲି କେଜରିୱାଲ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button