ଦିଲ୍ଲୀରେ ଲକଡାଉନ୍ ସପ୍ତାହେ ବଢ଼ିଲା

ନୂଆଦିଲ୍ଲୀ: ସାମ୍ପ୍ରତିକ ପରିସ୍ଥିତିରେ ଭାରତ କୋଭିଡ୍ ସଂକ୍ରମିତଜନିତ ଭୟାବହତାର ମୁକାବିଲା କରୁଛି। ଦେଶରେ ଦୈନିକ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ପ୍ରତିଦିନ ମୃତକଙ୍କ ସଂଖ୍ୟା ବି ତଦନୁପାତରେ ବଢ଼ିଚାଲିଛି। ଦିଲ୍ଲୀରେ ଅକ୍ସିଜେନ୍‌ର ବ୍ୟାପକ ଅଭାବ ପରିଲକ୍ଷିତ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଶନିବାର ବିଭିନ୍ନ ରାଜ୍ୟ ସରକାରଙ୍କୁ ଅକ୍ସିଜେନ୍ ଯୋଗାଇ ଦେବାକୁ ଚିଠି ଲେଖିଥିଲେ। ଦିନକୁ ଦିନ ଏହି ଜାତୀୟ ରାଜଧାନୀରେ କୋରୋନାଜନିତ ସ୍ଥିତି ଉଦବେଗଜନକ ହେଉଥିବାରୁ ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ କେଜରିୱାଲ୍ ଲକଡାଉନ୍ ଅବଧିକୁ ଆହୁରି ୬ ଦିନ ବଢ଼ାଇ ଦେଇଛନ୍ତି। ଅର୍ଥାତ୍ ରବିବାରଠାରୁ ଲାଗୁ ହୋଇଥିବା ଶଟଡାଉନ୍ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ କେଜରିୱାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ସେହିପରି କେଜରିୱାଲ୍ ଘୋଷଣା କରିଛନ୍ତି ଯେ ଦିଲ୍ଲୀରେ ଅକ୍ସିଜେନର ବ୍ୟାପକ ଅଭାବ ପରିଲକ୍ଷିତ ହୋଇଥିବା ବେଳେ ଏହି କାରଣରୁ କେତେକ ହସ୍ପିଟାଲରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏପରିକି ଦୁଇଟି ପ୍ରମୁଖ ହସ୍ପିଟାଲ୍ ସେମାନଙ୍କ କୋଭିଡ୍ ସଂକ୍ରମିତଙ୍କ ସକାଶେ ଉପଲବ୍ଧ ବେଡ୍ ସଂଖ୍ୟାକୁ ମଧ୍ୟ ପାଖାପାଖି ୪୦ ପ୍ରତିଶତ କମାଇ ଦେଇଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଅର୍ଥାତ୍ ଅକ୍ସିଜେନର ଅଭାବ ପୂରଣ ପାଇଁ ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ୍ ଆରମ୍ଭ କରାଯାଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ପ୍ରତି ଦୁଇ ଘଣ୍ଟାରେ ଅକ୍ସିଜେନ୍ ଉତ୍ପାଦନକାରୀ, ଯୋଗାଣକାରୀ ଓ ହସ୍ପିଟାଲମାନେ ଅକ୍ସିଜେନ ଯୋଗାଣ ଓ ମହଜୁଦ ସମ୍ପର୍କରେ ସବିଶେଷ ସୂଚନା ଅପଡେଟ୍ କରିବାକୁ କୁହାଯାଇଥିବା ମୁଖ୍ୟମନ୍ତ୍ରୀ କେଜରିୱାଲ୍ କହିଛନ୍ତି। ସେହିପରି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଉଦ୍ୟମ କରୁଥିବା କହିଛନ୍ତି।

Related Articles

Leave a Reply

Your email address will not be published.

Back to top button