ତୃତୀୟ ଲହରୀ ଚିନ୍ତା: ଶିଶୁଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ କୋରୋନା ମହାମାରୀର ଦ୍ବିତୀୟ ଲହର ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ସରକାର ଏବେ ତୃତୀୟ ଲହରୀକୁ ନେଇ ଚିନ୍ତା ଘାରିଲାଣି। ତୃତୀୟ ଲହରୀରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ତା’ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଏବଂ ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହାପରେ ଆଗୁଆ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓ ମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ। ଏହି ପରିପ୍ରେକ୍ଷୀରେ ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ୍‌ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍‌ ରୋଗୀଙ୍କ ତାଲିମ ଆରମ୍ଭ କରାଯିବ ବୋଲି ସୂଚନା  ମିଳିଛି।

ବର୍ତ୍ତମାନ ଥିବା କୋଭିଡ୍‌ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦେଶ ଦିଆଯାଇଛି। ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲ୍‌ରେ ୧୦ଟି ଆଇସୋଲେସନ୍‌ ବେଡ୍‌ ରହିବ। ୭ଟି ମେଡିକାଲ କଲେଜରେ ୬୪ ଏନ୍‌ଆଇସିୟୁ ସହ ମୋଟ୍‌ ୧୫୫ ବେଡ୍‌ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଛନ୍ତି ଏସିଏସ୍‌। ଆଇସିୟୁ ବ୍ୟବସ୍ଥା ଥିବା ସବୁ ସିସିସିରେ ୧୫ ପ୍ରତିଶତ ବେଡ୍‌ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ପର୍ଯ୍ୟାପ୍ତ ଔଷଧ ଓ ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ଏସିଏସ୍‌ ନିର୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର କୋଭିଡ୍‌ ବ୍ଲକ୍‌ ପ୍ରସ୍ତୁତ କରିବାକୁ କଟକ ଶିଶୁଭବନ ଅଧୀକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି ଏସିଏସ୍‌।  ରାଜ୍ୟରେ ଏବେ ୧୦ ହଜାର ୭୩୬ ସାଧାରଣ ଶଯ୍ୟା ଥିବା ବେଳେ ତାହାର ଏମ୍‌ସିଏଚ୍‌କୁ ବାଦ୍ ଦେଇ ୧୫ ପ୍ରତିଶତ ଶିଶୁମାନଙ୍କ ପାଇଁ ସଂରକ୍ଷିତ ରହିବ। ଏହାସହ ୪୦୭୨ ଆଇସିୟୁ/ଏଚ୍‌ଡିୟୁ ଶଯ୍ୟାରୁ ୪୦୮, ମେଡିକାଲ କଲେଜରେ ୧୫୫ ଶଯ୍ୟା ଓ ୨୦୨ ଆଇସିୟୁକୁ ମିଶାଇ ସମୁଦାୟ ୧୬୧୦ ଓ ୬୧୦ ଆଇସିୟୁ ସଂରକ୍ଷିତ ରଖାଯାଇଛି। ରାଜ୍ୟ‌ରେ ଏବେ ବୟସ୍କଙ୍କ ତୁଳନାରେ କମ୍ ସଂଖ୍ୟକ ଶିଶୁ ସଂକ୍ରମିତ ହୋଇଛନ୍ତି। ମାତ୍ର ଆଗାମୀ ଦିନରେ ଅଧିକ ଶିଶୁ ଏଥିରେ ସଂକ୍ରମିତ ହୋଇପାରନ୍ତି ବୋଲି ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

Related Articles

Leave a Reply

Your email address will not be published.

Back to top button