ତାପସୀ ଓ ଅନୁରାଗଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଟିକସ ଠକେଇ ମାମଲାରେ ବୁଧବାର ଆୟକର ବିଭାଗ ପକ୍ଷରୁ ମହାନଗରର ୨୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ଅଭିନେତ୍ରୀ ତାପସୀ ପନ୍ନୁ, ପ୍ରଯୋଜକ-ନିର୍ଦେଶକ ଅନୁରାଗ କଶ୍ୟପ ଓ ବିକାଶ ବହଲଙ୍କ କାର୍ଯ୍ୟାଳୟ ମଧ୍ୟ ସାମିଲ୍ ରହିଛି। ଟ୍ୟାଲେଣ୍ଟ୍ ମ୍ୟାନେଜମେଣ୍ଟ୍ ଏଜେନ୍ସି ‘କ୍ବାନ୍‌’ ପରିଚାଳନା ଦାୟିତ୍ବରେ ଥିବା ମଧୁ ମାଣ୍ଟେନାଙ୍କ ଘର ଉପରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଫାଣ୍ଟମ୍ ଫିଲ୍ମସ ବିରୋଧରେ ଟିକସ ଠକେଇ ମାମଲା ରୁଜୁ ହେବା ପରେ ଏନେଇ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହେଉଛି। ଫାଣ୍ଟମ୍ ଫିଲ୍ମ ଓ କ୍ବାନ୍ ସହ ଜଡ଼ିତ ମୁମ୍ବାଇ ଓ ପୁଣେର ୨୨ଟି ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ଚଢ଼ାଉ ବେଳେ ବ୍ୟାପକ ପରିମାଣର ଆପତ୍ତିଜନକ କାଗଜପତ୍ର ଓ ଇଲେକଟ୍ରୋନିକ୍ ଡାଟା ଜବତ ହୋଇଛି। ଏହାଛଡ଼ା ଚଢ଼ାଉରେ ସାମିଲ୍ ଥିବା ଆୟକର ବିଭାଗର ଅଧିକାରୀମାନେ ଲ୍ୟାପଟପ୍ ଓ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ତେବେ ଚଢ଼ାଉ ଶେଷ ହେବା ପରେ ଜବତ ସାମଗ୍ରୀ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ନୋଟିସ୍ ଜାରି ହେବ ବୋଲି କୁହାଯାଇଛି। ଆୟକର ବିଭାଗର ଅଧିକାରୀମାନେ ବୁଧବାର ପୂର୍ବାହ୍ନରେ ଚଢ଼ାଉ ଆରମ୍ଭ କରିବା ପରେ ଅନୁରାଗଙ୍କ ଘରେ ପହଞ୍ଚିଥିଲେ। ସେମାନେ ଅନୁରାଗଙ୍କ ବାସଭବନରେ ପାଖାପାଖି ୧୧ ଘଣ୍ଟା କାଳ ତନାଘନା କରିବା ପରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅନ୍ୟାନ୍ୟ ସ୍ଥାନରେ ବି ତଲାସୀ ଅଭିଯାନ ଜାରି ରହିଛି।

ସୂଚନାଯୋଗ୍ୟ ଯେ ଫାଣ୍ଟମ୍ ଫିଲ୍ମସ ଅନୁରାଗଙ୍କ ପ୍ରଯୋଜନା ଓ ବିତରଣ କମ୍ପାନୀ ହୋଇଥିବା ବେଳେ ବିକ୍ରମାଦିତ୍ୟ ମୋଟୱାନି ଏହାର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ମଧୁ ମାଣ୍ଟେନା ଏହାର ପ୍ରଯୋଜକ ଦାୟିତ୍ବରେ ଥିବା ବେଳେ ବିକାଶ ବହଲ୍ ମଧ୍ୟ ଏହି ଦାୟିତ୍ବରେ ଗତ ୨୦୧୧ଠାରୁ ରହିଆସିଛନ୍ତି। ଏହା ଡାଇରେକ୍ଟରଙ୍କ କମ୍ପାନୀ ଭାବେ ପରିଚିତ। ଗତ ମାର୍ଚ୍ଚ ୨୦୧୫ରେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍ ଏହି କମ୍ପାନୀର ୫୦ ପ୍ରତିଶତ ଅଂଶଧନ ଖରିଦ୍ କରିଥିଲା। ତେବେ ଗତ ୨୦୧୮ ଅକ୍ଟୋବରରେ ଅନ୍ୟତମ ପ୍ରତିଷ୍ଠାତା ବିକାଶ ବହଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଫାଣ୍ଟମ୍ ଫିଲ୍ମସର ବିଲୟ ଘଟିଥିଲା। ଏହି ପ୍ରଡକ୍ସନ୍ କମ୍ପାନୀ ଦ୍ବାରା ରଣବୀର ସିଂ ଓ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଲୁଟେରା (୨୦୧୩), କଙ୍ଗନା ରଣାୱତଙ୍କ କ୍ବିନ୍, ଅନୁଷ୍କା ଶର୍ମାଙ୍କ ଏନଏଚ୍୧୦ (୨୦୧୫), ଅଗଲି (୨୦୧୩), ହଣ୍ଟର୍ (୨୦୧୫), ବମ୍ବେ ଭେଲଭେଟ୍ (୨୦୧୫) ଓ ମସାନ୍ (୨୦୧୫) ଆଦି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।

Related Articles

Leave a Reply

Your email address will not be published.

Back to top button