ଟ୍ବିନ୍‌ ସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି: ସିଲ୍‌ ହେଲା ମାର୍କେଟ୍‌ ବିଲ୍ଡିଂ

ଭୁବନେଶ୍ବର: ରାଜଧାନୀରେ କୋରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଏବେ ହଜାରେ ଟପିଲାଣି। କ୍ବାରେଣ୍ଟାଇନ୍‌ରୁ ଢେର ଅଧିକ ରହିଛି ଲୋକାଲ୍‌ କେଶ୍‌। ରାଜଧାନୀର କେତେକ ଅଞ୍ଚଳ ଏବେ ହଟ୍‌ସ୍ପଟ୍‌ ପାଲଟିବାରେ ଲାଗିଛି। ସେଠାରୁ ପୁଳା ପୁଳା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ଟ୍ବିନ୍‌ସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହୋଇଛି। ଏକାଧିକ ଲୋକ ବାହାରୁ ଏଠାକୁ ଆସୁଥିବାରୁ ସଂକ୍ରମଣ ବଢ଼ୁଛି। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ। ଅନ୍ୟପକ୍ଷରେ କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହୋଇଛି ମାର୍କେଟ୍‌ ବିଲ୍ଡିଂ। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତା ବଜାୟ ରଖୁ ନ ଥିବା ଏବଂ ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମ୍‌ସିର ଡେପୁଟି କମିଶନର ମାର୍କେଟ ବିଲ୍ଡିଂ ସିଲ୍‌ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାପରେ ଭୁବନେଶ୍ୱର ପୋଲିସ୍‌ ଡିସିପି ଏବଂ ବିଏମ୍‌ସି ଜୋନାଲ୍‌ କମିଶନରଙ୍କ ଉପସ୍ଥିତିରେ ମାର୍କେଟ୍‌ ବିଲ୍ଡିଂକୁ ସିଲ୍‌ କରାଯାଉଛି। ୪୮ ଘଣ୍ଟା ପାଇଁ ମାର୍କେଟ୍‌ ବିଲ୍ଡିଂ ସିଲ୍‌ ହୋଇଥିବାରୁ ଏବଂ ପରବର୍ତ୍ତୀ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ସପ୍ତାହନ୍ତ ଶଟ୍‌ଡାଉନ୍‌ ହେଉଥିବାରୁ ମାର୍କେଟ୍‌ ବିଲ୍ଡିଂ ସୋମବାର ଖୋଲିବ ବୋଲି ଜଣାପଡ଼ିଛି।

ତେବେ ରାଜଧାନୀରେ ଏବେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧ ହଜାର ୪୪ ନୂଆ ଆକ୍ରାନ୍ତ। ଯାହା ଭିତରୁ ୮୨୫ ଲୋକାଲ କେସ୍‌ ରହିଛି। ପଟିଆ ଅଞ୍ଚଳରୁ ସର୍ବାଧିକ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କୋରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଲୋକମାନେ ନିୟମ ମାନୁ ନାହାନ୍ତି।  ଲୋକମାନେ କୋରୋନା ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛନ୍ତି ବିଏମ୍‌ସି କମିଶନର। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କରିବା ପାଇଁ ଚେଷ୍ଟା କରାଯିବ।

Related Articles

Leave a Reply

Your email address will not be published.

Back to top button