ଝରାଫୁଲ ମାମଲା: ଆଉ ଜଣେ ଗିରଫ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ପୁଲିସ ଆଉ ଜଣକୁ ଗିରଫ କରିଛି । ଫଳରେ ଗିରଫ ସଂଖ୍ୟା ୩ରେ ପହଞ୍ଚିଛି। ଆଜି ଯାଜପୁର ପୁଲିସ ଏହି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଜଣକ ଶକ୍ତିଶେଖର ସ୍ୱାଇଁ ବୋଲି ଜଣାଯାଇଛି । ଘଟଣା ପରେ ସେ ଫେରାର ଥିଲା । ଯାଜପୁର ପୁଲିସ ତାକୁ ଭୁବନେଶ୍ୱରରୁ ଗିରଫ କରିଛି । ଶକ୍ତିଶେଖର ଗିରଫ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ପୂର୍ବରୁ ଝରାଫୁଲ ମୃତ୍ୟୁ ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସୂଚନା ଥାଉକି, ଜାନୁଆରୀ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ମୂଳାପାଳ ଛକ-ରାଜେନ୍ଦ୍ରପୁର ରାସ୍ତା କଡ଼ରୁ ମିଳିଥିଲା । ଜାନୁଆରୀ ୨୫ ତାରିଖରେ ସେ ଭୁବନେଶ୍ୱରରେ ରହୁଥିବା ଧରମ ବାପା ଚକ୍ରଧରଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଗାଁରୁ ଭୁବନେଶ୍ୱର ଆସିଥିଲେ । ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍ରେ ବସାଇଥିଲେ ଚକ୍ରଧର । କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ । ଝରାଫୁଲ ବସ୍ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍ କରିଥିଲେ । ଝରାଫୁଲ ଫୋନ୍ ରିସିଭ୍ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ । ତା’ପରଠାରୁ ତାଙ୍କ ମୋବାଇଲ୍ ବନ୍ଦ ରହିଥିଲା । ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ମିଳିଥିଲା । ପୋଷ୍ଟମଟର୍ମ ରିପୋର୍ଟ ପୋଲିସ୍ର ହସ୍ତଗତ ହୋଇଥିଲା । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଝରାଫୁଲ ନାୟକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅଧିକ ତଦନ୍ତ ଓ ପୁରା ଘଟଣାର ଖୁଲାସା କରିବା ପାଇଁ ଝରାଫୁଲଙ୍କ ଭିସେରା ଟେଷ୍ଟ କରାଯାଇଥିଲା । ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ୍ ଘଟଣା ଦିନ ଅଭିଯୁକ୍ତ ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍, ସାର୍ଟ ଜବତ କରିଥିଲା । ଘଟଣା ଦିନ ରାକେଶ ବ୍ୟବହାର କରିଥିବା ମୋବାଇଲ୍ ବି ଜବତ କରିଥିଲା ପୋଲିସ । କୁଆଖିଆ ପୋଲିସକୁ ଅଭିଯୁକ୍ତ ରାକେଶ ବ୍ୟବହାର କରିଥିବା ସ୍କୁଟର ମିଳିଥିବା ବେଳେ ଝରାଫୁଲର ମୋବାଇଲ ଫୋନ୍ କି ରାକେଶର ବନ୍ଧୁ ଶକ୍ତିଶେଖରର କୌଣସି ପତ୍ତା ପାଇ ପାରିନଥିଲା ପୋଲିସ।