ଜୁନ ପହିଲା ଯାଏଁ ଲକଡାଉନ୍

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ବୃଦ୍ଧି କରୁଛନ୍ତି  ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ଆସନ୍ତାକାଲି ଶେଷ ହେଉଥିବା ବେଳେ ଏହାକୁ ଆଉ ୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଲକ୍‌ଡାଉନ୍‌ ସମୟରେ ପୂର୍ବଭଳି ସପ୍ତାହନ୍ତ ଶଟ୍‌ଡାଉନ୍ ଜାରି ରହିବ। ତେବେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କେତେକ କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାବିକା ପାଇଁ ୪ ଘଣ୍ଟା ସମୟ ଦିଆଯାଇଥିବା ବେଳେ ବିବାହ ଉତ୍ସବରେ ସାମିଲ୍‌ ହେଉଥିବା ଅତିଥିଙ୍କ ସଂଖ୍ୟାକୁ ୨୫କୁ କମାଇ ଦିଆଯାଇଛି। ତେବେ ଏହି ଲକ୍‌ଡାଉନ୍‌ ସମୟରେ ପୂର୍ବବତ୍‌ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିବାରୁ ମେ’ ୫ରୁ ସରକାର ପୂରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହା ଆସନ୍ତାକାଲି ସରିବାକୁ ଥିବା ବେଳେ ଆଜି ଜୁନ୍ ପହିଲା ଯାଏ ଏହାକୁ ବଢ଼ାଇ ଦିଆଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ପୂର୍ବବତ୍ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିବ। ଏଣିକି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୪ ଘଣ୍ଟା ମଧ୍ୟରେ ପନିପରିବା ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିହେବ। ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାମଗ୍ରୀ କିଣାବିକା କରିପାରିବେ ଲୋକେ। ଘରଠାରୁ ୫୦୦ ମିଟର ଦୂରରେ ଥିବା ଦୋକାନକୁ ପାଦରେ ଚାଲି ଚାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ। ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ବିବାହରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇପାରିବେ। ବର, କନ୍ୟା, ଅତିଥି ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ଭାଗନେବେ। ବିବାହ ଉତ୍ସବରେ ଭୋଜିଭାତ ହୋଇପାରିବ ନାହିଁ। କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଘରକୁ ଡାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ଅତିଥିମାନଙ୍କୁ ପ୍ୟାକେଟ୍‌ ଜରିଆରେ ଖାଦ୍ୟ ଦିଆଯାଇପାରିବ।

ଲକ୍‌ଡାଉନ୍‌ରେ ରାଜ୍ୟବ୍ୟାପୀ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଆହାର କେନ୍ଦ୍ରରେ ଖାଇବା ମନା ହୋଇଥିବା ବେଳେ କେବଳ ପାର୍ସଲ ନେଇପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ସେପଟେ ଆଇଆଇଟି, ଆଇଆଇଏମ୍‌ ଭଳି କେନ୍ଦ୍ର ସରକାରଙ୍କ ଅନୁଷ୍ଠାନରେ ଖୋଲା ରହିବ ହଷ୍ଟେଲ୍‌। ସେହିପରି ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ ହେବ। ବୈଦୁତିକ, ମୁଦ୍ରିତ ଏବଂ ୱେବ ମିଡିଆକୁ ଅନୁମତି ମିଳିଥିବା ବେଳେ ପେଟ୍ରୋଲ୍‌ ପମ୍ପ ଓ ରୋଷେଇ ଗ୍ୟାସ୍‌ ଯୋଗାଣକୁ ଅନୁମତି ରହିବା ସହ ସମ୍ପୂର୍ଣ୍ଣ କଟକଣା ମୁକ୍ତ ରହିବ ଚାଷ ସମ୍ପର୍କିତ କାର୍ଯ୍ୟକ୍ରମ। ଇଲେକ୍ଟ୍ରିସିଆନ,ମୋଟର ମେକାନିକ, ପାଇପ ମିସ୍ତ୍ରୀ ସେବା ଯୋଗାଇ ପାରିବେ। ସେହିପରି ଲକଡାଉନ ସମୟରେ ଯାତ୍ରୀବାହୀ ବସ୍‌ ଚଳାଚଳ ଉପରେ କଟକଣା ରହିବ। ସେହିପରି ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ୍‌ ଚଳାଚଳ ଉପରେ କଟକଣା ରହିବ। ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର୍‌ ବନ୍ଦ ରହିବ। ସିନେମା ହଲ୍‌, ମଲ୍‌, ଜିମ୍‌, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ ରହିବ। ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ କଟକଣା ରହିବ। ଯାତ୍ରା, ଅପେରା, ସ୍ପା, ସେଲୁନ୍‌, ବ୍ୟୁଟି ପାର୍ଲର ବନ୍ଦ ରହିବ।

ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଥିବା ବେଳେ ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନମାନଙ୍କରେ ଦେବନିତୀ ସ୍ୱଳ୍ପ ସଂଖ୍ୟକ ପୁଜାରୀ ଓ ସେବାୟତଙ୍କୁ ନେଇ କରାଯାଇ ପାରିବ। ଏସବୁ ସ୍ଥାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ଧାର୍ମିକ ସମାବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଲକ୍‌ଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ। ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ। ଗ୍ରାମାଞ୍ଚଳରେ କୋରୋନା ବ୍ୟାପୁଥିବାରୁ ପଞ୍ଚାୟତିରାଜ ସଂସ୍ଥା ନିଜ ଅଞ୍ଚଳରେ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ। ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବା ନେଇ ଗୁରୁତ୍ୱ ଦେବେ। ଘରକୁ ଘର ବୁଲି ୩ ମାସ ଯାଏ କ୍ୟାମ୍ପେନ୍ କରାଯିବ। କୋରୋନା ଲକ୍ଷଣ ଥିଲେ ଟେଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ଲକଡାଉନ୍  ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସରକାରୀ ଓ ବେସରକାରୀ ଅଫିସ୍‌ରେ କର୍ମଚାରୀଙ୍କ ସଂଖ୍ୟା ଆହୁରି କମ୍ ରହିବ। ଏନେଇ ନୂଆ ନିର୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button