ଜିନ୍ଦଲ ପ୍ଲାଣ୍ଟରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର୍

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଜିନ୍ଦଲ ପ୍ଲାଣ୍ଟରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର୍ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଗସ୍ତରେ ଯାଇ ଜିନ୍ଦଲ ହେଲିପ୍ୟାଡରେ ଓହ୍ଲାଇଥିଲେ । ଏହାପରେ ସେ ଜିନ୍ଦଲ ପ୍ଲାଣ୍ଟ ପରିସରରେ ନିର୍ମିତ ୨୭୦ ବେଡ଼ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ,ଜିନ୍ଦଲ ମୁଖ୍ୟ ନବୀନ ଜିନ୍ଦଲ ଆଦି ଯୋଗଦେଇ ଥିଲେ । ଏହି କୋଭିଡ୍ କେୟାରରେ ୨୭୦ଟି ଅକ୍ସିଜେନ୍ ସଂଯୁକ୍ତ ବେଡ଼୍ ଉପଲବ୍ଧ ରହିଥିବା ବେଳେ ପୂର୍ବରୁ ଏଠାରେ ୫୦ଟି ବେଡ୍ ସହ ଭେଣ୍ଟିଲେଟର ଓ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି । ବ୍ୟବସ୍ଥିତ ଥିବା ୩୨୦ଟି ବେଡ୍ ଅନୁଗୁଳ ଜିଲ୍ଲାର କଣିହାଁ, ତାଳଚେର ଏବଂ ପଡୋଶୀ ଜିଲ୍ଲା ଦେବଗଡ଼ ସମେତ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାରେ ସହାୟକ ହେବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ,ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ରହିବ ନାହିଁ । ମହାମାରୀ କୋଭିଡକୁ ସାମ୍ନା କରିବା ପାଇଁ କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ଉଦ୍ୟମ ଜାରୀ ରଖିଛନ୍ତି । ଏମସିଏଲ ଓ ନାଲକୋ ଇଣ୍ଡିଆ ଦ୍ୱାରା ତାଳଚେର ଏବଂ ବଳରାମପ୍ରସାଦ ଠାରେ ୧୫୦ଟି ଲେଖାଁଏ ବେଡ୍ ସହ କୋଭିଡ୍ କେୟାର ହସ୍ପିଟାଲ ପ୍ରତିଷ୍ଠା ହୋଇଛି।ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବା ପାଇଁ ହୋଇଥିବା ବ୍ୟବସ୍ଥା ସହ ଜେଏସପିଏଲ, ଏମସିଏଲ ଏବଂ ନାଲକୋ ଦ୍ୱାରା ୬୨୦ ଟି ଅକ୍ସିଜେନ ସଂଯୁକ୍ତ କୋଭିଡ୍ ବେଡ ଏବଂ ଆନୁଷଙ୍ଗିକ ମେଡ଼ିକାଲ ବ୍ୟବସ୍ଥା ଅନୁଗୁଳ ଏବଂ ପଡୋଶୀ ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ରଖିବ ।

ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମକୁ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେବା ସହ ଟିକାକରଣର ଦାୟିତ୍ୱ ନେବାକୁ ପଡ଼ିବ । ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦% ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟ ଦ୍ୱାରା ୨୫% ଏବଂ କର୍ପୋରେଟ୍ ଅନୁଷ୍ଠାନ ଦ୍ୱାରା ୨୫% ଟିକା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି। ବିଗତ ୨ ମାସରେ ଜେଏସପିଏଲ କର୍ପୋରେଟ ଦେଶର ବିଭିନ୍ନ ଅଞ୍ଚଳକୁ ୩ ହଜାର ମେଟ୍ରିକ୍ ଟନର ଅମ୍ଲଜାନ ଯୋଗାଇ ଦେଶର ଆବଶ୍ୟକତା ପୂରଣ କରିଥିବାରୁ ଧନ୍ୟବାଦ । ଆଗାମୀ ଦିନରେ ମଧ୍ୟ ରାଜ୍ୟରେ ସମାଜିକ-ଅର୍ଥନୈତିକ ବିକାଶ ଏବଂ ସ୍ୱାସ୍ଥ୍ୟବସ୍ଥାକୁ ମଜବୁତ୍ କରିବାରେ ମଧ୍ୟ ଜେଏସପିଏଲ୍ ଦାୟିତ୍ୱ ନେଉ । ଅନୁଗୁଳ ଜିଲ୍ଲା କରୋନାର ଦ୍ୱିତୀୟ ଲହର ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲାରେ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକୁ ନିଜ କର୍ମଚାରୀ, ତାଙ୍କ ପରିବାର ଏବଂ ଅନ୍ୟୁନ ଜଣେ ଗରିବ ଲୋକଙ୍କୁ ମଧ୍ୟ ଟିକା ଦେବା ପାଇଁ ଦାୟିତ୍ୱ ନେବାକୁ ପୁଣି ଥରେ ଆହ୍ୱାନ କଲି ।

Related Articles

Leave a Reply

Your email address will not be published.

Back to top button