କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୨ ନର୍ସଙ୍କ ସମେତ ୧୮ ମୃତ

ଗୁଜରାଟ: ଗୁଜରାଟର ଭରୁଚର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ ଜଣ ନର୍ସଙ୍କ ସମେତ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଶନିବାର ଖବର ମିଳିଛି। କେତେକ ରୋଗୀ ଆହତ ମଧ୍ୟ ହୋଇଛନ୍ତି। ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି। ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ଭରୁଚ ଅନ୍ତର୍ଗତ ୱେଲ୍‌ଫେୟାର୍‌ ହସ୍ପିଟାଲ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୧୬ ଜଣ କୋରୋନା ରୋଗୀଙ୍କ ସହ ହସ୍ପିଟାଲର ୨ ଜଣ ନର୍ସଙ୍କ ମଧ୍ୟ ମୃତ୍ୟୁ ହୋଇଛି। ପ୍ରାୟ ୫୦ ଜଣଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ର ଏକ ଇନ୍‌ଟେନ୍ସିଭ୍‌ କେୟାର୍‌ ୟୁନିଟ୍‌ (ଆଇସିୟୁ)ରେ ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା ଓ ଅନ୍ୟ ଆଇସିୟୁକୁ ବ୍ୟାପି ଯାଇଥିଲା। ତେବେ ଆଇସିୟୁ ଥିବା ମହଲାରେ ଧୂଆଁ ଭର୍ତ୍ତି ହୋଇଯିବାରୁ ନିଜକୁ ବଞ୍ଚାଇବା ପାଇଁ ସେଠାରେ କାର୍ଯ୍ୟରତ ୨ ଜଣ ନର୍ସ ଏକ କୋଠରୀ ଭିତରକୁ ପଳାଇ ଯାଇଥିଲେ। ତେବେ ଅତ୍ୟଧିକ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଅନ୍ୟ ପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ଶନିବାର ସକାଳ ୬ଟା ୩୦ ସୁଦ୍ଧା ମିଳିଥିବା ସୂଚନାକୁ ଆଧାର କରି ୧୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା କଥା ଜିଲ୍ଲାପାଳ କହିଥିଲେ। ଏବେ କିନ୍ତୁ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି ପାଇଛି ବୋଲି ଗଣମାଧ୍ୟମକୁ ପୋଲିସ ସୂଚନା ଦେଇଛି। ଭରୁଚ ଏସ୍‌.ପି. ରାଜେନ୍ଦ୍ର ସିଂହ ଚୂଡ଼ସମା କହିଛନ୍ତି ଯେ ନିଆଁ ଓ ଧୂଆଁରେ ରୁନ୍ଧି ହୋଇ ୧୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ବାକି ୬ ଜଣ ୱେଲ୍‌ଫେୟାର୍‌ ହସ୍ପିଟାଲ୍‌ରେ କି ଅନ୍ୟ ହସ୍ପିଟାଲ୍‌ମାନଙ୍କୁ ସ୍ଥାନାନ୍ତର କରାଯିବା ବେଳେ ପ୍ରାଣ ହରାଇଲେ, ତାହା ସ୍ପଷ୍ଟ ହୋଇନାହିଁ। ୪ ମହଲା ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ପ୍ରାୟ ୭୦ ଜଣ ରୋଗୀଙ୍କ ମଧ୍ୟରୁ ୨୪ ଜଣ ଆଇସିୟୁରେ ଥିଲେ। ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ବାକି ସମସ୍ତ ରୋଗୀଙ୍କୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଆଖପାଖ ହସ୍ପିଟାଲ୍‌ମାନଙ୍କରେ ଭର୍ତ୍ତି କରିଛନ୍ତି। ସୂଚନାଯୋଗ୍ୟ, ଭରୁଚ-ଜମ୍ବୁସର୍‌ ରାଜପଥ ପାର୍ଶ୍ବରେ ଅବସ୍ଥିତ ୱେଲ୍‌ଫେୟାର୍‌ ହସ୍ପିଟାଲ୍‌ କୋଭିଡ୍‌-୧୯ ହସ୍ପିଟାଲ୍‌ ଭାବେ ଚିହ୍ନିତ ଏହି ଡାକ୍ତରଖାନା ଏକ ଟ୍ରଷ୍ଟ୍‌ ଦ୍ବାରା ପରିଚାଳିତ।

Related Articles

Leave a Reply

Your email address will not be published.

Back to top button