କୋଭିଡ୍ ସମସ୍ୟା ନେଇ ହସ୍ପିଟାଲ୍‌ରେ ଭର୍ତ୍ତିହେଲେ ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତେଣୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହେବା ପରେ ତାଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ଗତ ଏପ୍ରିଲରେ ଶିକ୍ଷା ମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇଥିଲେ। ଏନେଇ ସେ ନିଜେ ଟ୍ବିଟର୍ ମାଧ୍ୟମରେ ସୂଚନା ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ହେଲେ ଏବେ ତାଙ୍କର କୋଭିଡ ସଂକ୍ରମଣ ପରବର୍ତ୍ତୀ ସମସ୍ୟା ଦେଖାଦେଇଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସିବିଏସ୍‌ଇ ଓ ଆଇସିଏସ୍‌ଇ ସମେତ ସମସ୍ତ ରାଜ୍ୟ ବୋର୍ଡ ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ନିଷ୍ପତ୍ତି ଘୋଷଣା କରିଥାନ୍ତେ। ଗତ ମାସରେ କେନ୍ଦ୍ର ମନ୍ତ୍ରୀଙ୍କ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସମସ୍ତ ରାଜ୍ୟ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ପ୍ରତିକ୍ରିୟା ପଠାଇବାକୁ ୧ ସପ୍ତାହ ସମୟ ମଧ୍ୟ ଦିଆଯାଇଥିଲା।

ଦ୍ବାଦଶ ଶ୍ରେଣୀ ପରୀକ୍ଷା ଉପରେ ନିଷ୍ପତ୍ତି ନେବା ସକାଶେ ଖୁବଶୀଘ୍ର ନିଶଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଭିନ୍ନ ରାଜ୍ୟର ଶିକ୍ଷା ବୋର୍ଡଗୁଡ଼ିକ ଦେଇଥିବା ପ୍ରସ୍ତାବ ସଂକ୍ରାନ୍ତରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ଗତ ମେ’ ୨୩ ତାରିଖ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ନିଶଙ୍କ ବିଭାଗୀୟ ବରିଷ୍ଠ ପଦାଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଦଶମ ଶ୍ରେଣୀ ପରି ଦ୍ବାଦଶ ଶ୍ରେଣୀ ସିବିଏସଇ ପରୀକ୍ଷାକୁ ଆଦୌ ବାତିଲ୍ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବରଂ ପରୀକ୍ଷା କେନ୍ଦ୍ର ସଂଖ୍ୟା ଦ୍ବିଗୁଣିତ କରି ସାମାଜିକ ଦୂରତା ରକ୍ଷା ପୂର୍ବକ ପରୀକ୍ଷା କରାଯିବା ନେଇ ବିଚାରବିମର୍ଶ କରାଯାଇଥିଲା। ସେହିପରି ୧୮ ବର୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିବାକୁ ଥିବା ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଭିଡ୍ ଟିକା ଦେବା ଉପରେ ମଧ୍ୟ କେତେକ ପଦାଧିକାରୀ ଗୁରୁତ୍ବାରୋପ କରିଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ପ୍ରୋଟୋକଲ୍ ଅବଲମ୍ବନ ସକାଶେ ବ୍ୟବସ୍ଥା କରାଯିବା ସହ ଯଥେଷ୍ଟ କମ୍ ସଂଖ୍ୟାରେ ଛାତ୍ରଛାତ୍ରୀ ଗୋଟିଏ ରୁମରେ ବସିବାର ବନ୍ଦୋବସ୍ତ କରାଯିବା ଉପରେ ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ନିଶଙ୍କ ଅସୁସ୍ଥ ଥିବାରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଘୋଷଣା ବିଳମ୍ବିତ ହେବା ଏକରକମ ନିଶ୍ଚିତ ବୋଲି କୁହାଯାଇପାରେ।

Related Articles

Leave a Reply

Your email address will not be published.

Back to top button