କୋଟିଆରେ ୧୪୪ ଧାରା ଜାରି

କୋରାପୁଟ : ଓଡ଼ିଶାର କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳ କୋଟିଆ ଗ୍ରାମପଞ୍ଚାୟତ ୨୨ଟି ଗ୍ରାମରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାରୁ ଏବଂ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି। ବୁଧବାର ସନ୍ଧ୍ୟା ୫ଟାରୁ ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିଛି। ୨୨ଟି ଗାଁ ପାଇଁ ୨୨ ଜଣ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍‌ କ୍ଷମତା ପ୍ରଦାନ କରାଯାଇଛି। ଏଥିସହ ପ୍ରତ୍ୟେକ ଗ୍ରାମରେ ମଧ୍ୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି। କୌଣସି ଯାନ ବାହାନ ବାହାର କରିବାକୁ ମନା କରାଯାଇଛି। କୋଟିଆରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି। ଜରୁରୀ ନ ଥିଲେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକବାଜି ଯନ୍ତ୍ର ଜରିଆରେ କୋଟିଆର ସମସ୍ତ ଗାଁରେ ପ୍ରଶାସନ ଘୋଷଣା କରିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳୁ କୋଟିଆରେ ‍ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ନିର୍ବାଚନ କରିବାକୁ ଆନ୍ଧ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ହାଇକୋର୍ଟଙ୍କ ଅନୁମତି ପରେ ଏବେ ଆନ୍ଧ୍ର ସରକାର ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହାସହ ୨୨ଜଣ ବରିଷ୍ଠ ଅଧିକାରୀଙ୍କୁ ମାଜିଷ୍ଟ୍ର‌େଟ ଦାୟିତ୍ବ ପ୍ରଦାନ କରାଯାଇଛି। ଏ‌ହାସହ ଜିଲ୍ଲାପାଳ ଅବଦ୍ଦଲ ଏମ୍‌. ଅଖତର, ଏଡିଏମ୍‌ ଦେବେନ ପ୍ରଧାନ, କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲିଙ୍ ସହ ବହୁ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ରହିଥିବା ଜଣାପଡ଼ିଛି। କୋଟିଆରେ ଅନ୍ଧ୍ର ନିର୍ବାଚନକୁ ବିରୋଧ କରି ଗଠନ ହୋଇଥିବା ସର୍ବଦଳୀୟ କମିଟି କୋଟିଆରେ ରହିଛି। ଓଡ଼ିଶା ଅଞ୍ଚଳରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ କରାଇ ନଦେବାକୁ ଓଡ଼ିଶାର ୩ ଦଳର ନେତା ଏକାଠି ହୋଇଛନ୍ତି। ପ୍ରଥମେ ମାଟି ପରେ ପାର୍ଟିର ନାରା ଦେଇ କୋଟିଆରେ ଅନ୍ଧ୍ର ଓଡ଼ିଶା ସୀମାରେ ଧାରଣା ଦେଇଛନ୍ତି ସର୍ବଦଳୀୟ ନେତା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ସହ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଓ ବଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗି ସେଠାରେ ରହିଛନ୍ତି। ସୀମାନ୍ତବାସୀଙ୍କୁ ସଚେତନ କରାଇବାକୁ ସର୍ବଦଳୀୟ ଉଦ୍ୟମ ଜାରି ରହିଛି।

Related Articles

Leave a Reply

Your email address will not be published.

Back to top button