କିଟ୍ ଖରାପ ଯୋଗୁ ୨୫ ଛାତ୍ର କୋରୋନା ପଜିଟିଭ୍

ଭୁବନେଶ୍ବର: ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଏକାଥରରେ ୨୫ ଜଣ ଛାତ୍ର କୋରୋନା ଆକ୍ରାନ୍ତ ହେବା ନେଇ ଗତ ୩ ଦିନ ତଳେ ଜଣାପଡ଼ିଥିଲା। ଯାହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନକୁ ମଧ୍ୟ ଚିନ୍ତାରେ ପକାଇ ଦେଇଥିଲା। ବିଶ୍ବବିଦ୍ୟାଳୟରେ କୋକୁଆ ଭୟ ଖେଳିଯାଇଥିଲା। ବୁର୍ଲା ଭିସୁଟ୍କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଘଟଣା ପରେ ତତ୍ପରତା ପ୍ରକାଶ କରିଥିଲା ଜିଲ୍ଲାପ୍ରଶାସନ। ଉପଜିଲ୍ଲାପାଳ, ପିଡି ଡିଆର୍ଡିଏ ହଷ୍ଟେଲ୍ରେ ସ୍ଥିତି ସମୀକ୍ଷା କରିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଉ କେହି ଛାତ୍ର ଯେପରି ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ସତର୍କତା ଅବଲମ୍ବନ କରାଯାଇଥିଲା। ମାତ୍ର ଆଜି ଯେଉଁ ରିପୋର୍ଟ ଆସିଛି ସମସ୍ତଙ୍କୁ ଚକିତ କରିଛି। କାରଣ ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ୨୫ ଜଣ ଯାକ ଛାତ୍ରୀଙ୍କ ରିପୋର୍ଟରେ ତ୍ରୁଟି ରହିଛି।
ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ହୋଇ ନ ଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଆଣ୍ଟିଜେନ୍ କିଟ୍ ଖରାପ ଯୋଗୁ କୋରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟ୍ରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଭିସୁଟରେ କିଛି ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟ୍ କରାଯାଇଥିଲା। ସେଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପରେ ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି। ତେବେ ଏହାପରେ ସେଠାରୁ ସବୁ ଆଣ୍ଟିଜେନ୍ କିଟ୍ ପ୍ରତ୍ୟାହାର କରିବା ପାଇଁ ନିର୍ଦେଶ ଦିଆଯାଇଥିବା ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୭ରେ ଭିସୁଟ୍ର ମୋଟ ୨୫ ଛାତ୍ର କୋରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ତା’ପର ଦିନ ଅର୍ଥାତ ୨୮ ତାରିଖରେ ଭିସୁଟ୍କୁ ଶଟ୍ଡାଉନ୍ଘୋଷଣା କରାଯାଇଥିଲା। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଥିଲେ। ଏହାପରେ ଭିସୁଟ୍ର ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ‘ପୁଲହ’ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ‘ବଫର୍ ଜୋନ୍’ ଘୋଷଣା କରାଯାଇଥିଲା। ଅଫଲାଇନ୍ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ସମସ୍ତ ଅଫଲାଇନ୍ କ୍ଲାସ୍କୁ ଅନଲାଇନ୍ କରିବାକୁ କୁଳପତି ଘୋଷଣା କରିଥିଲେ। ଏସବୁ ସତ୍ତ୍ବେ ଆଜି ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସଛି।