ଏପ୍ରିଲ୍ ପହିଲାରୁ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା

ନୂଆଦିଲ୍ଲୀ: ଭାରତରେ ଗତ ଜାନୁଆରୀ ୧୬ ତାରିଖଠାରୁ କୋଭିଡ୍ ଟିକାକରଣ କାର୍ଯ୍ୟକାରୀ ଜାରି ରହିଥିବା ବେଳେ ଅଦ୍ୟାବଧି ୪ କୋଟି ୮୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଏହି ଟିକା ଦିଆଯାଇସାରିଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ଅନ୍ୟାନ୍ୟ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଏହି ଟିକା ଦିଆଯାଇଆସିଛି। ଏହି କ୍ରମରେ ଆସନ୍ତା ଏପ୍ରିଲ୍ ପହିଲାରୁ ୩ୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ଓ ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବ ପ୍ରତିଟି ବ୍ୟକ୍ତିଙ୍କୁ ଏହି ଟିକା ଦିଆଯାଇପାରିବ। ସେମାନଙ୍କୁ କୋଭିଡ୍ ଟିକା ନେବା ସକାଶେ କୌଣସି ପ୍ରକାର ରୋଗ ଥିବା ନେଇ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ ବୋଲି ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।

ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜାଭଡେକର ଏହି ସୂଚନା ଦେବା ସହ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଟିକା ନେବା ସକାଶେ ପଞ୍ଜୀକରଣ କରିବାକୁ ନିବେଦନ କରିଛନ୍ତି। ଜାଭଡେକର କହିଛନ୍ତି ଯେ ଭାରତରେ କୋଭିଡ୍ ଟିକାର କୌଣସି ଅଭାବ ନାହିଁ। ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏଡି ଟିକା ନେବା ସକାଶେ ତୁରନ୍ତ ପଞ୍ଜୀକରଣ କରିବା ଜରୁରୀ। ଅଦ୍ୟାବଧି ଭାରତରେ ୪.୮୪ କୋଟି ଲୋକଙ୍କୁ ଏହି ଟିକା ଦିଆଯାଇସାରିଛି। ଗତ ୨୪ ଘଣ୍ଟାରେ ୩୨.୫୪ ଲକ୍ଷ ଲୋକଙ୍କୁ ଏହି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି। ଗତ ଫେବ୍ରୁଆରୀରେ ଦୈନିକ ସାଢ଼େ ୩ ଲକ୍ଷ ଲୋକଙ୍କୁ ଏହି ଟିକା ଦିଆଯାଇପାରିଥିଲା। କିନ୍ତୁ ମାର୍ଚ୍ଚରେ ଏହି ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି ଓ ଦୈନିକ ପାଖାପାଖି ୧୫ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଗତ ସପ୍ତାହେରୁ ଊର୍ଦ୍ଧ୍ବ ସମୟ ଧରି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏହା ଉପରେ ସରକାରଙ୍କର ନଜର ରହିଛି। ବିଶେଷକରି ଯେଉଁସବୁ ରାଜ୍ୟରେ ପୂର୍ବାପେକ୍ଷା ସଂକ୍ରମଣ ବ୍ୟାପକ ହୋଇଛି, ସେସବୁ ରାଜ୍ୟ ସହ କେନ୍ଦ୍ର ସରକାର ନିୟମିତ ଭାବେ ଯୋଗାଯୋଗ ରଖିଛନ୍ତି। ତା’ଛଡ଼ା ଉକ୍ତ ରାଜ୍ୟଗୁଡ଼ିକ ସେମାନଙ୍କର ପୂର୍ବ ଅଭିଜ୍ଞତା ଭିତ୍ତିରେ ଏହି ମହାମାରୀକୁ ରୋକିବା ସକାଶେ ପଦକ୍ଷେପ ନେଉଥିବା କେନ୍ଦ୍ର ମନ୍ତ୍ରୀ ଜାଭଡେକର କହିଛନ୍ତି।

Related Articles

Leave a Reply

Your email address will not be published.

Back to top button