ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଶେଷରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବମ୍ବେ ହାଇକୋର୍ଟ ମୁମ୍ବାଇର ପୂର୍ବତନ ଡିଜି ପରମବୀର ସିଂ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ଏନସିପି ନେତା ଦେଶମୁଖଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ପୂର୍ବତନ ମୁମ୍ବାଇ ପୋଲିସ୍ ମୁଖ୍ୟ ସିଂ ଅଭିଯୋଗ କରିଥିଲେ ଯେ ଦେଶମୁଖ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ଜବତ ହୋଇଥିବା ବିସ୍ଫୋରକ ଭର୍ତ୍ତି ଏସୟୁଭି ମାମଲାରେ ଗିରଫ ହୋଇଥିବା ଏନକାଉଣ୍ଟର୍ ସ୍ପେଶାଲିଷ୍ଟ୍ ସଚିନ୍ ୱାଜେଙ୍କୁ ଶହେ କୋଟି ଚାନ୍ଦା ଆଦାୟ କରିବାକୁ ନିର୍ଦେଶ ଦେଇଥିବା ଅଭିଯୋଗ ଆଣିଥିଲେ। ଦେଶମୁଖ ତାଙ୍କ ଇସ୍ତଫା ପତ୍ର ସୋସାଲ୍ ଆକାଉଣ୍ଟ୍ ଟ୍ବିଟର୍ ମାଧ୍ୟମରେ ଅପଲୋଡ୍ କରିଛନ୍ତି। ପୂର୍ବରୁ ଏହି ମାମଲାରେ ସିବିଆଇକୁ ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ୧୫ ଦିନ ଭିତରେ ଆରମ୍ଭ କରିବା ସକାଶେ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଗିରୀଶ କୁଲକର୍ଣ୍ଣିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ଅଭିଯୋଗ ଅତି ସାଙ୍ଘାତିକ ଓ ଅପ୍ରତ୍ୟାଶିତ ହୋଇଥିବାରୁ ଏହାର ନିରପେକ୍ଷ ତଦନ୍ତ ନିହାତି ଆବଶ୍ୟକ ବୋଲି କହିଥିଲେ। ବମ୍ବେ ହାଇକୋର୍ଟରେ ଡ. ଜୟଶ୍ରୀ ପାଟିଲ୍ ଏହି ମାମଲାରେ ଏକ ଆବେଦନ ଦାୟର୍ କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଦେଶମୁଖ ରାଜ୍ୟର ଗୃହ ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଏହି ମାମଲାର ନିରପେକ୍ଷ ତଦନ୍ତ ହେବା ସମ୍ଭବ ନୁହେଁ। ତେଣୁ ଏହି ମାମଲାରେ ପୋଲିସକୁ ନିରପେକ୍ଷ ତଦନ୍ତ କରିବାକୁ ହେଲେ ଗୃହ ମନ୍ତ୍ରୀ ଦେଶମୁଖଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ନିହାତି ଦରକାର ବୋଲି ପାଟିଲ୍ ତାଙ୍କ ଆବେଦନରେ ମତ ଦେଇଥିଲେ। ଗତ ମାର୍ଚ୍ଚ ୨୦ ତାରିଖରେ ପୂର୍ବତନ ମୁମ୍ବାଇ ପୋଲିସ୍ ମୁଖ୍ୟ ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ୮ ପୃଷ୍ଠା ସମ୍ବଳିତ ଚିଠି ଲେଖିଥିଲେ। ଯେଉଁଥିରେ ସେ ଦେଶମୁଖଙ୍କ ବିରୋଧରେ ଉପରୋକ୍ତ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଉକ୍ତ ଚିଠିରେ ଦେଶମୁଖ ତାଙ୍କୁ ପ୍ରତି ମାସରେ ଶହେ କୋଟି ଟଙ୍କା ଚାନ୍ଦା ଭାବେ ଆଦାୟ କରିବା ସକାଶେ ଟାର୍ଗେଟ୍ ଦେଇଥିଲେ। ଅବଶ୍ୟ ପରେ ଦେଶମୁଖ ଏପରି ଅଭିଯୋଗକୁ ଅସ୍ବୀକାର କରିଥିଲେ।

Related Articles

Leave a Reply

Your email address will not be published.

Back to top button