ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି’ ଟିକା: ଭିକେ ପଲ୍

ନୂଆଦିଲ୍ଲୀ: ଦେଶରେ ଇତିମଧ୍ୟରେ ରୁଷିଆ ଦ୍ବାରା ପ୍ରସ୍ତୁତ କୋଭିଡ୍ ଟିକା ସ୍ପୁଟନିକ୍ ଭି’ ଇତିମଧ୍ୟରେ ଭାରତରେ ପହଞ୍ଚିସାରିଛି ଓ ଏହା ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହେବ ବୋଲି ନୀତି ଆୟୋଗ ସଦସ୍ୟ ଡ. ଭିକେ ପଲ୍ କହିଛନ୍ତି। ନିକଟରେ ରୁଷିଆରୁ ସ୍ପୁଟନିକ୍-ଭି’ ଟିକା ଭାରତରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ପରବର୍ତ୍ତୀ ଟିକା ନେଇ ବିମାନ ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଏହାଛଡ଼ା ଆସନ୍ତା ଜୁଲାଇରୁ ଭାରତରେ ମଧ୍ୟ ଏହି ଟିକାର ଉତ୍ପାଦନ ଆରମ୍ଭ ହେବ। ଭାରତ ଏହି ରୁଷୀୟ ଟିକାର ପାଖାପାଖି ୧୫.୫ କୋଟି ଡୋଜ୍ ପ୍ରସ୍ତୁତ କରିପାରିବ ବୋଲି ଲକ୍ଷ୍ୟ ରଖିଛି। ସ୍ପୁଟନିକ୍ ଭି’ ଟିକା ସମ୍ପର୍କରେ ଡ. ପଲ୍ କହିଛନ୍ତି ଯେ ଆସନ୍ତା ୫ ମାସ ଭିତରେ ଆମ ପାଖରେ ପାଖାପାଖି ୨ ବିଲିୟନ୍ ଡୋଜ୍ ସ୍ପୁଟନିକ୍ ଭି’ ଟିକା ପହଞ୍ଚିଯିବ। ଏହି ଟିକାର କିଛି ଅଂଶ ରୁଷିଆ ଯୋଗାଇଦେବ ଓ ଆଉ କିଛି ଅଂଶ ଭାରତରେ ପ୍ରସ୍ତୁତ ହେବ ବୋଲି ଡ. ପଲ୍ କହିଛନ୍ତି। ଡ. ପଲ୍ କହିଛନ୍ତି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଏଫଡିଏ ପକ୍ଷରୁ ଅନୁମତି ପାଇଥିବା ସମସ୍ତ ପ୍ରକାର ଟିକା ଭାରତରେ ପହଞ୍ଚିବ। ଦିନେ କି ଦୁଇ ଦିନ ଭିତରେ ଏଥି ସକାଶେ ଆମଦାନୀ ଲାଇସେନ୍ସ ପ୍ରଦାନ କରାଯିବ। କୌଣସି ପ୍ରକାର ଜରୁରୀକାଳୀନ ଲାଇସେନ୍ସ ପ୍ରଦାନ କରାଯିବାରେ ବିଳମ୍ବ ହେବ ନାହିଁ ବୋଲି ଡ. ପଲ୍ କହିଛନ୍ତି। ସେହିପରି ଆସନ୍ତା ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ଭାରତରେ ପାଖାପାଖି ୨ ବିଲିୟନ୍ ଟିକାର ଡୋଜ୍ ଉପଲବ୍ଧ ହୋଇପାରିବା ନେଇ ଡ. ପଲ୍ ଆଶାବାଦୀ ଅଛନ୍ତି। ଏହି ଟିକା ମଧ୍ୟରେ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ ଓ ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଟିକାର ୭୫୦ ନିୟୁତ ଡୋଜ୍ ସହ ଭାରତ ବାୟୋଟୋକ୍ ଦ୍ବାରା ଉତ୍ପାଦିତ ୫୫୦ ନିୟୁତ ଡୋଜ୍ କୋଭାକ୍ସିନ୍ ଅନ୍ତର୍ଭୁକ୍ତ ରହିବ ବୋଲି କେନ୍ଦ୍ର ସରକାରଙ୍କ ଉପଦେଷ୍ଟା ଡ. ପଲ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ଦେଶରେ କୋରୋନା ଭୂତାଣୁ ତା’ର କାୟା ଦିନକୁ ସମ୍ପ୍ରସାରିତ କରୁଥିବା ସମୟରେ କୋଭିଡ୍ ଟିକାର ଉପଯୋଗ ଏହାକୁ ରୋକିପାରିବ ବୋଲି ଆଶା କରାଯାଉଛି। କିନ୍ତୁ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ଅଧିକାଂଶ ରାଜ୍ୟରେ ଟିକା ମହଜୁଦ ନ ଥିବାରୁ ଏହି କାର୍ଯ୍ୟକ୍ରମ ବିଶେଷ ଭାବେ ପ୍ରଭାବିତ ହୋଇଛି।

Related Articles

Leave a Reply

Your email address will not be published.

Back to top button