ଆରଟି-ପିସିଆର ରିପୋର୍ଟ ନେଗେଟିଭ ଥିଲେ ବି ହୋଇପାରେ କରୋନା

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଷ୍ଟ୍ରେନ ଆରଟି-ପିସିଆର ଟେଷ୍ଟରେ ବି ଜଣାପଡ଼ୁନି । ଅନେକଙ୍କ ନିକଟରେ କରୋନାର ଲକ୍ଷଣ ଥିଲେ ମଧ୍ୟ ସେମାନଙ୍କର ରିପୋର୍ଟ ନେଗେଟିଭ ଆସୁଛି । ଏପରିସ୍ଥଳେ ଆରଟି-ପିସିଆର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ ଯେଉଁମାନଙ୍କ ନିକଟରେ କରୋନାର ପାରମ୍ପରିକ ଲକ୍ଷଣ ଦେଖିବାକୁ ମିଳୁଛି ସେମାନଙ୍କର ମଧ୍ୟ କରୋନା ପାଇଁ ଥିବା ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବା ଆବଶ୍ୟକ । ଦେଶର କୋଭିତ-୧୯ ଟାସ୍କ ଫୋର୍ସର ସଦସ୍ୟ ଓ ଏମ୍ସର ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିଆ ଏହା କହିଛନ୍ତି  । ଗୁଲେରିଆଙ୍କ ଅନୁସାରେ କରୋନାର ଏହି ନୂଆ ଷ୍ଟ୍ରେନ୍ ବହୁତ ଅଧିକ ସଂକ୍ରାମକ ଓ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ କେବଳ ୧ ମିନିଟ୍ ପାଇଁ ଆସିଲେ ବି ସୁସ୍ଥ ଲୋକମାନେ ସଂକ୍ରମିତ ହେଉଛନ୍ତି ।

ସେ ଆହୁରି କହିଛନ୍ତି, କରୋନା ମାମଲାର ସଂଖ୍ୟା ବଢ଼ିବା ଯୋଗୁ ପରୀକ୍ଷା ରିପୋର୍ଟ ଆସିବା ଲାଗି କିଛି ଦିନ ବିଳମ୍ବ ହେଉଛି । ଏଭଳି କ୍ଷେତ୍ରରେ ଡାକ୍ତରମାନଙ୍କୁ କ୍ଲିନିକୋ ରେଡିଓଲୋଜିକାଲ ଡାୟୋଗ୍ନୋସିସ୍ କରିବା ଆବଶ୍ୟକ । ଯଦି ଏଭଳି ଲୋକଙ୍କ ସିଟି ସ୍କାନ୍ରେ କରୋନାର ପାରମ୍ପରିକ ଲକ୍ଷଣ ଦେଖାଯାଏ ତା’ ହେଲେ ଡାକ୍ତର ତୁରନ୍ତ କରୋନା ପ୍ରୋଟୋକଲ ଅନୁସାରେ ସେମାନଙ୍କର ଚିକିତ୍ସା ଆରମ୍ଭ କରିବା ଆବଶ୍ୟକ । ଆର୍ଟି-ପିସିଆର ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ଯଦି ସ୍ୱାଦ ଓ ଗନ୍ଧ ଅନୁଭୂତ ନ ହେବ, ଜ୍ୱର ଓ ଥଣ୍ଡା ହେବା, ଥକ୍କାପଣ, କାଶ ହେବା, ପେଟ ଖରାପ ବା ଗ୍ୟାସ ସମସ୍ୟା ଦେଖାଯିବା ଭଳି ଲକ୍ଷଣ ଦେଖାଯାଏ ତା’ ହେଲେ କରୋନା ପ୍ରୋଟୋକଲ ଅନୁସାରେ ଟିକିତ୍ସାରେ ରହିବା ଆବଶ୍ୟକ ।

Related Articles

Leave a Reply

Your email address will not be published.

Back to top button