ଅଲିମ୍ପିକ୍ସକୁ ୮୦ ପ୍ରତିଶତ ଜାପାନବାସୀଙ୍କ ବିରୋଧ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆଉ ମାତ୍ର ୧୦ ସପ୍ତାହରୁ କମ୍‌ ସମୟ ରହିଥିବାବେଳେ ଆୟୋଜକ ଦେଶ ଜାପାନରେ ଏହାକୁ ପ୍ରବଳ ବିରୋଧ ଜାରି ରହିଛି। କୋଭିଡ୍‌ ମହାମାରୀ ପରିସ୍ଥିତି କାରଣରୁ ଏହାକୁ ବାତିଲ କିମ୍ବା ପୁନଃସ୍ଥଗିତ କରିବା ଲାଗି ଦାବି ଓ ପ୍ରତିବାଦ ମଧ୍ୟ ବଢ଼ିବାରେ ଲାଗିଛି। ଜାପାନରେ ମଧ୍ୟ ଗତ ଶୁକ୍ରବାରଠାରୁ ଜରୁରୀକାଳୀନ ପରିସ୍ଥିତିକୁ ବଢ଼ାଇ ଦିଆଯାଇଛି। ଦେଶରେ ‌କୋଭିଡର ଚତୁର୍ଥ ଲହର ରହିଥିବାରୁ ସ୍ବାସ୍ଥ୍ୟ ସେବା କ୍ରମେ ବିଗିିଡ଼ିବାରେ ଲାଗିଛି। ଅସହି ଶିବୁନ୍‌ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୮୦ରୁ ଅଧିକ ପ୍ରତିଶତ ଜାପାନ ଜନତା ଏଥର ଅଲିମ୍ପିକ୍ସ ନ ହେବା ସପକ୍ଷରେ ରହିଛନ୍ତି। ଏହି ଦୈନିକ ଖବରକାଗଜ ଜନମତରୁ ଜଣାପଡ଼ିଛି ଯେ, ୪୩ ପ୍ରତିଶତ ଲୋକ କହୁଛନ୍ତି ଏହାକୁ ବାତିଲ କରିଦିଆଯାଉ ଏବଂ ୪୦ ପ୍ରତିଶତ ଲୋକ କହୁଛନ୍ତି ଏହାକୁ ପୁନଃ ସ୍ଥଗିତ ରଖାଯାଉ। ଗତବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଏହି କାରଣରୁ ସ୍ଥଗିତ ରଖାଯାଇଥିଲା। ମାତ୍ର ୧୪ ପ୍ରତିଶତ ଜାପାନିଙ୍କ ମତ ଅଲିମ୍ପିକ୍ସ ଆୟୋଜିତ ହେଉ। ୩୧୯୧ ଟେଲିଫୋନ୍ କଲରୁ ଏହି ପ୍ରତିଶତ ନିର୍ଣ୍ଣୟ କରାଯାଇଛି। ଅଲିମ୍ପିକ୍ସ ଯଦି ହେଉଛି ତେବେ ବିନା ଦର୍ଶକରେ ଏହାକୁ କରାଯାଉ ବୋଲି ୫୯ ପ୍ରତିଶତ ଜନତା ମତ ଦେଇଛନ୍ତି। ପୂର୍ବରୁ ଏକ ଜନମତରେ ମଧ୍ୟ ୭୦ ପ୍ରତିଶତ ଜାପାନୀ ଅଲିମ୍ପିକ୍ସକୁ ବିରୋଧ କରି କ୍ୟୁଣ୍ଡୋ ପକ୍ଷରୁ ହୋଇଥିବା ଆଉ ଏକ ଜନମତରେ ୮୭.୭ ପ୍ରତିଶତ ଲୋକ ଆଶଙ୍କା କରିଥିଲେ ବିଦେଶରୁ ଆସିବାକୁ ଥିବା ଖେଳାଳି ଓ ଅଧିକାରୀମାନେ ଭୂତାଣୁ ସଂକ୍ରମଣ କରିବେ। କୋଭିଡ୍‌ ମହାମାରୀରେ ଜାପାନ ଉନ୍ନତ ସ୍ଥିତିରେ ଥିବାବେଳେ ଅଦ୍ୟାବଧି ମାତ୍ର ୧୧,୫୦୦ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ସରକାର ଟିକା ଯୋଗାଇବାରେ ବିଫଳ ହୋଇଥିବାର ଅଭିଯୋଗ ହେଉଛି। କ୍ୟୁଣ୍ଡୋ ଜନମତରେ ୮୫ ପ୍ରତିଶତ ମନ୍ଥର ଟିକାକରଣ ଅଭିଯୋଗ କରିଥିବା ବେଳେ ୭୧.୫ ପ୍ରତିଶତ ସରକାରଙ୍କ କୋଭିଡ୍‌ ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button