ଅନ୍‌ଲାଇନ୍‌ରେ ହେବ ୟୁଜି ଏବଂ ପିଜି ପରୀକ୍ଷା

ଭୁବନେଶ୍ବର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାଟ୍ରିକ୍‌ ଏବଂ ଯୁକ୍ତ ୨ ପରୀକ୍ଷାକୁ ବାତିଲ୍‌ କରାଯାଇଥିବା ବେଳେ ଏବେ ସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ପରୀକ୍ଷା ନେଇ ଆସିଛି ବଡ଼ ନିଷ୍ପତ୍ତି। ଚଳିତ ବର୍ଷ ଅନ୍‌ଲାଇନ୍ ଯୋଗେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଛି। ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଅନ୍‌ଲାଇନ୍‌ରେ ୟୁଜି ଓ ପିଜି ଫାଇନାଲ୍‌ ପରୀକ୍ଷା ହେବ। ଆଜି କୁଳପତିମାନଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଫଳରେ ପରୀକ୍ଷା କିପରି ହେବ, ତାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

ଶୁକ୍ରବାର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ପରୀକ୍ଷା ସମ୍ପର୍କିତ କୁଳପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମେତ ବିଭାଗୀୟ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟମାନେ ଯୋଗଦେଇଥିଲେ। ଏହି ବୈଠକରେ ୟୁଜି ଏବଂ ପିଜିର କେବଳ ଫାଇନାଲ୍ ସେମିଷ୍ଟାର୍‌ ପିଲାଙ୍କ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି। ପୂର୍ବ ପରୀକ୍ଷା ଅବା ବ୍ୟାକ୍ ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ ହେବ। ଜୁଲାଇ, ଅଗଷ୍ଟ ସୁଦ୍ଧା ଅନ୍‌ଲାଇନରେ ପରୀକ୍ଷା ହେବ। ପରୀକ୍ଷା କେବେ ହେବ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବା ସ୍ୱୟଂ ଶାସିତ କଲେଜ ପରୀକ୍ଷା ତାରିଖ ସ୍ଥିର କରିବେ। ସେହିଭଳି ଅନ୍‌ଲାଇନ୍‌ରେ କେମିତି ପରୀକ୍ଷା ହେବ, ତାହା ବିଶ୍ୱବିଦ୍ୟାଳୟ ଗୁଡ଼ିକ ସ୍ଥିର କରିବେ। ତେବେ ଛାତ୍ରୀଛାତ୍ରମାନେ ଘରେ ରହି ପରୀକ୍ଷା ଦେଇପାରିବେ। ଯାହାର ଘରେ ସୁବିଧା ନ ଥିବ ନିକଟସ୍ଥ ଡିଗ୍ରୀ କଲେଜରେ ଦେଇପାରିବେ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ଫଳ ପ୍ରକାଶ ପାଇବ। ଯୁକ୍ତ ତିନି ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ପରେ ନିଆଯିବ ବୋଲି ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ସଂକ୍ରମଣ ଯୋଗୁ ୟୁଜି ଓ ପିଜି ପରୀକ୍ଷା ବାତିଲ୍‌ ନେଇ ପ୍ରଥମେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ହେଲେ ସୁପ୍ରିମ୍‌କୋର୍ଟ ପରୀକ୍ଷା କରିବା ଦିଗରେ ମତ ଦେଲେ। ଯେଉଁଥି ପାଇଁ ୟୁଜିସି ପରୀକ୍ଷା କରାଇବାକୁ ସମସ୍ତ ରାଜ୍ୟଙ୍କୁ ସୂଚନା ଦେଇଥିଲେ। ଯାହାକୁ ଭିତ୍ତି କରି ପିଜି ଶେଷ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ରେ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button