ଅନାଥ ଶିଶୁଙ୍କ ପାଇଁ ଗ୍ରୀନ୍‌ ପ୍ୟାସେଜ୍‌ ଯୋଜନା

ଭୁବନେଶ୍ବର: କୋଭିଡ ଦ୍ବିତୀୟ ଲହରୀରେ ରାଜ୍ୟରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଶିଶୁ ଅନାଥ ହୋଇସାରିଲେଣି। ଏହି ଶିଶୁମାନଙ୍କ ବାପା-ମା’ଙ୍କୁ ସେମାନଙ୍କ ଠାରୁ ଛଡ଼ାଇ ନେଇଛି କରୋନା। ଏପରି ଶିଶୁମାନେ ଏବେ ବେସାହାରା ହୋଇପଡ଼ିଛନ୍ତି। ସବୁଦିନ ପାଇଁ ସେମାନଙ୍କ ମୁହଁରୁ ହସ ଲିଭାଇ ଦେଇଛି କୋରୋନା। ଯେଉଁ ବୟସରେ ସେମାନଙ୍କର ଖେଳ ଓ ପାଠରେ ସମୟ ବିତିବା କଥା, ସେହି ବୟସରେ ସେମାନେ ବଞ୍ଚିବା ପାଇଁ ସଂଘର୍ଷ ଆରମ୍ଭ କରି ଦେଇଛନ୍ତି। ଏବେ ସେମାନଙ୍କ ଭବିଷ୍ୟତ କ’ଣ ହେବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହି ଅନାଥ ଶିଶୁଙ୍କ ପାଇଁ ହାତ ବଢ଼ାଇଛନ୍ତି ସରକାର। କୋରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦେବେ ରାଜ୍ୟ ସରକାର। ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ୍‌ ପ୍ୟାସେଜ୍‌ ଯୋଜନାରେ ସାମିଲ ହେବେ। ସେମାନଙ୍କ ମେଡିକାଲ ବା ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ। ଏମିତିକି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ସରକାର ଦେବେ ବୋଲି ଘୋଷଣା କରିଛନ୍ତି।

ସରକାରୀ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ମାସିକ ୨ ହଜାର ଟଙ୍କାର ସହାୟତା ସହିତ ସେମାନଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରାଯିବ। ଏପରିକି ଉଚ୍ଚଶିକ୍ଷା କ୍ଷେତ୍ରରେ ସେମାନଙ୍କ କୋଚିଂ ଠାରୁ ଆରମ୍ଭ କରି ପାଠପଢା ଖର୍ଚ୍ଚ ବହନ କରାଯିବ ବୋଲି କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦ୍ଦେଷ୍ଟା ସୁଲତା ଦେଓ। କୋଭିଡ ସମୟରେ ଅନାଥ ହେଉଥିବା ଶିଶୁଙ୍କ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଭଳି ଶିଶୁମାନଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯିବ। ବିଶେଷକରି ୨୦୨୦ ମସିହାରୁ କାର୍ଯ୍ୟକାରୀ ହେଉଥିବା ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସେମାନଙ୍କୁ ସୁରକ୍ଷା ମିଳିପାରିବ। ଏହି ଯୋଜନାରେ ମାସିକ ସହାୟତା ସହିତ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଅର୍ଥ ଯୋଗାଇ ଦିଆଯିବ। ଏଥିରେ ଆଇଟିଆଇ ଭଳି ପାଠପଢିବାପାଇଁ ବାର୍ଷିକ ୭୦୦୦ ଟଙ୍କା, ଡିପ୍ଲୋମା ଏବଂ ପଲିଟେକନିକ୍‍ ପାଇଁ ୧୦ ହଜାର, ବିଟେକ୍‍, ଏମ୍‍ସିଏ, ବିଫାର୍ମା ଭଳି ପାଠ୍ୟକ୍ରମ ପାଇଁ ୩୦ ହଜାର ଏବଂ ଡାକ୍ତରୀ ଶିକ୍ଷା ପାଇଁ ବାର୍ଷିକ ୫୦ ହଜାର ଦିଆଯାଉଛି। ଏଥି ସହିତ କୋଚିଂ ନେବାପାଇଁ ଏକକାଳୀନ ୪୦ ହଜାର ଟଙ୍କର ସହାୟତା ମିଳୁଛି।

ଅନ୍ୟ ପକ୍ଷରେ କୋରୋନାରେ ବାପ ମା’ଙ୍କୁ ହରାଇଥିବା ୩୫ ଜଣ ଶିଶୁ ଚିହ୍ନଟ ହୋଇଥିବାବେଳେ ଅନ୍ୟମାନଙ୍କ ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ଦେବାପାଇଁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଅନ୍ୟପକ୍ଷରେ ଏବେ ସୁଦ୍ଧା କୋଭିଡ୍‌ ଯୋଗୁ ବାପା, ମାଙ୍କୁ ହରାଇଥିବା ୧୨ ଜଣ ପିଲା ଭତ୍ତା ପାଇଁ ଚିହ୍ନଟ ହୋଇଛନ୍ତି। ମଧୁବାବୁ ଯୋଜନାରେ ଭତ୍ତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ପିଲା ପାଇବେ ଭତ୍ତା। ସେହିପରି ଭଦ୍ରକ, ରାୟଗଡ଼ା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଭତ୍ତା ପାଇବେ। ଅନାଥ ଶିଶୁଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିବାରେ ସରକାର ସହଯୋଗ କରିବେ। କୋରୋନାରେ ବାପା ମା’ଙ୍କୁ ହରାଇ ଥିବା ଅନାଥଙ୍କୁ ମଧୁବାବୁ ପେନସନ୍‌ରେ ସାମିଲ କରାଯିବ।

Related Articles

Leave a Reply

Your email address will not be published.

Back to top button