ମେ’ ୧୩ରେ ପିପିଲି ଭୋଟ୍‌, ୧୬ରେ ଫଳାଫଳ

ଭୁବନେଶ୍ବର: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଥିବା ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୩ ତାରିଖରେ ଭୋଟ୍‌ ହେବାକୁ ଥିବା ବେଳେ ୧୬ରେ ଭୋଟ ଗଣତି ଏବଂ ଫଳାଫଳ ଘୋଷଣା କରାଯିବ। ଏନେଇ ସୂଚନା ଦେଇଛନ୍ତି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଉପନିର୍ବାଚନ ପାଇଁ ଏପ୍ରିଲ୍‌ ୧୯ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୯ରୁ ୨୬ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ। ୨୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ତେବେ କେବଳ କଂଗ୍ରେସ ପକ୍ଷରୁ ହିଁ ପ୍ରାର୍ଥୀପତ୍ର ଦାଖଲ କରାଯିବ। ଅନ୍ୟ ଦୁଇ ଦଳ ବିଜେଡି ଓ ବିଜେପିର ପ୍ରାର୍ଥୀପତ୍ର କାଏମ ରହିବ ବୋଲି ଲୋହାନୀ କହିଛନ୍ତି। ଏପ୍ରିଲ୍‌ ୧୭ରେ ପିପିଲି ଉପନିର୍ବାଚନ ହେବାର ଥିଲା। ହେଲେ ଏହାର ୩ ଦିନ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ୍‌ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କୋରୋନାରେ ଦେହାନ୍ତ ଘଟିଥିଲା। ଫଳରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ରିଟର୍ଣ୍ଣିଂ ଅଫିସର୍‌ଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ପିପିଲି ଉପନିର୍ବାଚନ ନେଇ ସାନି ତାରିଖ ସ୍ଥିର କରିଛନ୍ତି। ସାନି ତାରିଖ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ବିଜେଡି ପକ୍ଷରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ମଇଦାନରେ ଅଛନ୍ତି ଆଶ୍ରିତ ପଟ୍ଟନାୟକ। ଏବେ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବା ବାକି ରହିଲା। ତେବେ ଅଜିତ୍‌ଙ୍କ ପରିବାରରୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି। ସେନେଇ ଦଳ କୌଣସି ନିଷ୍ପତ୍ତି ନେଇ ନ ଥିବା ବେଳେ ଦିବଙ୍ଗତ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପତ୍ନୀ ବନ୍ଦନକୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

Related Articles

Leave a Reply

Your email address will not be published.

Back to top button