ମୋଦିଙ୍କ ମନ୍ କି ବାତ୍: ଧୈର୍ଯ୍ୟ ଓ ସହନଶୀଳତାର ପରୀକ୍ଷା ନେଉଛି କରୋନା

ନୂଆଦିଲ୍ଲୀ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୭୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କୋଭିଡ୍‌-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଢ଼ ହୋଇଥିଲା କିନ୍ତୁ, ଏଥରର କରୋନା ‘ତୋଫାନ୍’ ଦେଶକୁ ବିପର୍ଯ୍ୟସ୍ତ କରି ପକାଇଛି। କୋଭିଡ୍‌ ପ୍ରବାହର ମୁକାବିଲା କରିବା ନିମନ୍ତେ ଔଷଧ ଶିଳ୍ପ, ଅମ୍ଳଜାନ ଉତ୍ପାଦନ ଆଦି ଅନେକ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛି । ତେବେ ମୋଦି ଆହୁରି ମଧ୍ୟ କହିଛନ୍ତି କରୋନା ଆମ ଧୈର୍ଯ୍ୟ ଓ ଯନ୍ତ୍ରଣା ସହନଶୀଳତା ପରୀକ୍ଷା ନେଉଛି । ଆମ ପ୍ରିୟପରିଜନଙ୍କ ମଧ୍ୟରୁ ଅନେକ ଆମକୁ ଅକାଳରେ ଛାଡ଼ି ଚାଲିଗଲେଣି। ଆମର ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରମାନେ କୋଭିଡ୍‌-୧୯ ବିପକ୍ଷରେ ସଂଗ୍ରାମ ଲଢୁଛନ୍ତି। ଗତ ବର୍ଷେ ହେଲା, ମହାମାରୀ ଉପରେ ସେମାନେ ବହୁ ପ୍ରକାର ଅଭିଜ୍ଞତା ହାସଲ କରିଛନ୍ତି। କେବଳ ସମର୍ଥିତ ସୂତ୍ରରୁ କୋଭିଡ୍‌-୧୯ ସଂକ୍ରାନ୍ତ ସୂଚନା ସଂଗ୍ରହ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କୁ ନିବେଦନ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ରୋଗୀମାନଙ୍କୁ ଅନ୍‌ଲାଇନ୍‌ରେ ଡାକ୍ତରମାନେ ପରାମର୍ଶ ଦେବା ପ୍ରଶଂସନୀୟ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟିକା ବିଷୟରେ କୌଣସି ଗୁଜବର ଭରଷା କରନ୍ତୁ ନାହିଁ। କୋଭିଡ୍‌ ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ମାଗଣାରେ ଟିକା ପଠାଇଛନ୍ତି । ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏଥିରେ ମାଗଣାରେ ଟୀକା ନେଇପାରିବେ। ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ପାଇଁ ଟିକା ମିଳିବ। ସେହିଭଳି ଭବିଷ୍ୟତରେ ମଧ୍ୟ ଭାରତ ସରକାରଙ୍କର ମାଗଣା ଟିକାକରଣ କାର୍ୟ୍ୟକ୍ରମ ଚାଲୁ ରହିବ।

Related Articles

Leave a Reply

Your email address will not be published.

Back to top button