ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସମସ୍ତଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ବର: ସବୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା କୋରୋନା ଟିକା। ୧୮ରୁ ୪୪ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ମାଗଣାରେ ଦିଆଯିବ କୋରୋନା ଟିକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି  ବଡ଼ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ ସାରା ଦେଶ କଠିନ ପରିସ୍ଥିତି ଦେଇ ଗତି କରୁଛି। ଗତବର୍ଷଠାରୁ ଏ ବର୍ଷର ସ୍ଥିତି ଆହୁରି ଭୟଙ୍କର। ରାଜ୍ୟର ସମସ୍ତ ନାଗରିକଙ୍କୁ କୋରୋନା ଟିକା ମିଳିବ। ଟିକା ପାଇଁ କାହାକୁ ମଧ୍ୟ ଟଙ୍କାଟିଏ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ଏ ବାବଦରେ ରାଜକୋଷରୁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କୋରୋନା କଟକଣା ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ସାରା ଭାରତ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। କୋଭିଡ୍‍ ସଂକ୍ରମଣରେ ଭାରତ ଆଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ବହୁତ ଦୁଃଖର କଥା ପ୍ରତିଦିନ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି। ଆପଣମାନେ ଟିଭି ଓ ମିଡ଼ିଆରୁ ଜାଣୁଛନ୍ତି ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟମାନଙ୍କରେ ପରିସ୍ଥିତି ଆଜି ଭୟଙ୍କର ହୋଇଛି। ମେଡ଼ିସିନ୍‍, ଅକ୍ସିଜେନ୍‍, ବେଡ୍‍ ଆଦି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବହୁତ ପ୍ରଭାବ ପଡୁଛି। ସବୁଠାରୁ ଦୁଃଖର କଥା ଶ୍ମଶାନ ଘାଟ ମାନଙ୍କରେ ମଧ୍ୟ ଶବଦାହ ପାଇଁ ଜାଗା ମିଳୁନାହିଁ। ଏଭଳି ଭୟଙ୍କର ପରିସ୍ଥିତି ଭାରତ ଇତିହାସରେ କେବେ ବି ଆସି ନ ଥିଲା। କିଛି ଦିନ ତଳେ ମୁଁ ଏ ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି। ସେମାନଙ୍କର ଦୁଃଖ ସମରେ ସହଯୋଗର ହାତ ବଢ଼ାଇଥିଲି। ଓଡ଼ିଶା ଆଜି ୬ଟି ରାଜ୍ୟକୁ ଅକ୍ସିଜେନ୍‍ ଯୋଗାଉଛି। ଆମ ରାଜ୍ୟର ସୀମାନ୍ତ ଜିଲାମାନଙ୍କରେ ମଧ୍ୟ ସଂକ୍ରମଣର ଗଭୀର ପ୍ରଭାବ ପଡ଼ିଛି। ଗତବର୍ଷ ଆମେ ସମସ୍ତେ ମିଶି କୋଭିଡ୍‍ର ମୁକାବିଲା କରିଥିଲେ। ବାତ୍ୟା ହେଉ ବା ବନ୍ୟା ବା କୋଭିଡ୍‍ ପରିଚାଳନା ସବୁବେଳେ ଆପଣମାନେ ସହଯୋଗ କରିଥିବାରୁ ଆମେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରି ପାରିଛୁ।

Related Articles

Leave a Reply

Your email address will not be published.

Back to top button