ମମତାଙ୍କ ଜିଦ୍: ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଫେରାଇ ନିଆଯାଇପାରିବନି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆହୂତ ବାତ୍ୟା ସମୀକ୍ଷା ବୈଠକରେ ବିଳମ୍ବରେ ପହଞ୍ଚିବା ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟକରାଟକରି ଆରମ୍ଭ ହୋଇଯାଇଛି। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟ ମଧ୍ୟ ବିଳମ୍ବରେ ପହଞ୍ଚିଥିବାରୁ ତାଙ୍କୁ କେନ୍ଦ୍ର ସରକାର ତୁରନ୍ତ ଫେରିଯିବା ସକାଶେ ନିର୍ଦେଶ ଦେଇଥିଲେ। କିନ୍ତୁ ମମତା ସରକାର ମୁଖ୍ୟ ସଚିବଙ୍କୁ କେନ୍ଦ୍ରକୁ ଫେରିଯିବାର ସୁଯୋଗ ଦେବେ ନାହିଁ ବୋଲି ଜିଦ୍ ଧରିଛନ୍ତି। ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ ଏହା ଦର୍ଶାଇଛନ୍ତି। ବର୍ତ୍ତମାନର କଷ୍ଟସାଧ୍ୟ ସମୟରେ ଜଣେ ମୁଖ୍ୟ ସଚିବ ପରି ଗୁରୁତ୍ବପୂର୍ଣ୍ଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରକୁ ଫେରାଇ ଦିଆଯିବା ସମ୍ଭବପର ନୁହେଁ ବୋଲି ମମତା ଉକ୍ତ ଚିଠିରେ ଲେଖିଛନ୍ତି। ସେହିପରି ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଫେରାଇ ନେବା ସକାଶେ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ସହ ତୁରନ୍ତ ନିର୍ଦେଶନାମା ପ୍ରତ୍ୟାହାର କରିନେବାକୁ ମଧ୍ୟ ନିବେଦନ କରିଛନ୍ତି। ତା’ଛଡ଼ା ଏପରି ଏକ ନିର୍ଦେଶନାମାରେ ସେ ଚକିତ ହୋଇଛନ୍ତି ବୋଲି ମଧ୍ୟ ମମତା କହିଛନ୍ତି।

ମମତା କହିଛନ୍ତି ଯେ ଗତ ମେ’ ୨୮ ତାରିଖରେ କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଫେରାଇନେବା ସକାଶେ ଯେଉଁ ଚିଠି ଲେଖିଛନ୍ତି, ତା’ ଦେଖି ସେ ଚକିତ ହୋଇଛନ୍ତି। ବନ୍ଦୋପାଧ୍ୟାୟଙ୍କୁ ଆସନ୍ତା ମେ’ ୩୧ ତାରିଖ ସୁଦ୍ଧା କେନ୍ଦ୍ରକୁ ଫେରିଯିବା ସକାଶେ କହିଛନ୍ତି। କିନ୍ତୁ ବର୍ତ୍ତମାନର ଅସମୟରେ ତାଙ୍କୁ କେନ୍ଦ୍ରକୁ କିପରି ଭାବେ ଫେରାଇ ଦିଆଯାଇପାରିବ ବୋଲି ମମତା ପ୍ରଶ୍ନ କରିଛନ୍ତି। ତା’ଛଡ଼ା କେନ୍ଦ୍ର ସରକାରଙ୍କ ଏପରି ନିର୍ଦେଶନାମାକୁ ଆଇନତଃ ଅସମ୍ଭବ, ଐତିହାସିକ ଅପ୍ରତ୍ୟାଶିତ ଓ ଅସାମ୍ବିଧାନିକ ବୋଲି ମମତା କହିଛନ୍ତି। ସେହିପରି ଗତ ମେ’ ୨୪ ତାରିଖରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା ପୂର୍ବକ ବନ୍ଦୋପାଧ୍ୟାୟଙ୍କ ଡେପୁଟେସନ୍ ଅବଧି ତିନି ମାସ ପର୍ଯ୍ୟନ୍ତ ବଢ଼ାଇଥିଲେ, ଯାହାକି ଜୁନ୍ ୧ ତାରିଖଠାରୁ ଆରମ୍ଭ ହେଉଛି। ତେଣୁ ମେ’ ୨୪ରେ କେନ୍ଦ୍ର ସରକାରଙ୍କ ରାଜ୍ୟ ସରକାରଙ୍କ ସହ ଆଲୋଚନା ଓ ୪ ଦିନ ପରେ ମୁଖ୍ୟ ସଚିବଙ୍କୁ କେନ୍ଦ୍ରକୁ ଫେରିଯିବା ସକାଶେ ନିର୍ଦେଶ ଦେବା ମଧ୍ୟରେ କ’ଣ ଘଟଣା ଘଟିଲା, ସେ ବିଷୟରେ ତାଙ୍କୁ ଆଦୌ କିଛି ବି ଜଣାନାହିଁ ବୋଲି ମମତା କହିଛନ୍ତି।

Related Articles

Leave a Reply

Your email address will not be published.

Back to top button