ମମତାଙ୍କୁ ଝଟକା

ବିଜେପିକୁ ଡେଇଁଲେ ୫ ଟିଏମସି ବିଧାୟକ

କୋଲକାତା: ଆସନ୍ତା ମାର୍ଚ୍ଚ ୨୭ ତାରିଖଠାରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ବିରୋଧୀ ଟିଏମସିକୁ ମାତ୍ ଦେବା ସକାଶେ ସମସ୍ତ ପ୍ରକାର ରଣକୌଶଳ ଆପଣାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ରାଲିରେ ଅଂଶଗ୍ରହଣ କରିବା ସହ ମମତା ସରକାରର ପତନର ବେଳ ଆସିଯାଇଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଅଭିନେତା ତଥା ବଙ୍ଗଳାବାସୀଙ୍କ ପ୍ରିୟ ମିଥୁନଦା ବିଜେପିରେ ସାମିଲ୍ ହୋଇଥିଲେ। ଫଳରେ ଆଗାମୀ ବିଧାନସଭା ପୂର୍ବରୁ ବିଜେପିର ଶକ୍ତି ବହୁଗୁଣରେ ବଢ଼ିଯାଇଛି। ଏହି କ୍ରମରେ ସୋମବାର ମମତାଙ୍କୁ ଆଉ ଏକ ଜବରଦସ୍ତ ଝଟକା ଲାଗିଛି। କାରଣ ୫ ଜଣ ଟିଏମସି ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ଏପରିକି ଆଗାମୀ ନିର୍ବାଚନରେ ଲଢ଼ିବା ସକାଶେ ଟିଏମସି ଟିକେଟ୍ ପାଇଥିବା ଜଣେ ପ୍ରାର୍ଥୀ ମଧ୍ୟ ବିଜେପିରେ ମିଶିଥିବା ଜଣାପଡ଼ିଛି। ଏହି ସମସ୍ତ ଟିଏମସି ନେତା ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଓ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ମମତାଙ୍କୁ ଟକ୍କର ଦେବା ସକାଶେ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି।

ବିଜେପିରେ ସାମିଲ୍ ହୋଇଥିବା ଟିଏମସି ନେତାଙ୍କ ମଧ୍ୟରେ ଅସନ୍ତୁଷ୍ଟ ନେତ୍ରୀ ସୋନାଲି ଗୁହା, ଶୀତଲ ସରଦାର, ଦିପେନ୍ଦୁ ବିଶ୍ବାସ, ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ ଓ ଜତୁ ଲାହିରି। ଏହାଛଡ଼ା ପୂର୍ବତନ ଟିଏମସି ନେତ୍ରୀ ସରଳା ମୁର୍ମୁ ମଧ୍ୟ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଗତ ଶୁକ୍ରବାର ମମତା ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସମୟରେ ସରଳାଙ୍କୁ ହବିବପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ ହେଁ ପରେ ତାଙ୍କୁ ଅସୁସ୍ଥ ଦର୍ଶାଇ ତାଙ୍କ ସ୍ଥାନରେ ପ୍ରଦୀପ ଭାସ୍କରଙ୍କ ନାମ ଘୋଷଣା କରିଥିଲେ। ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରି ସରଳା ତୁରନ୍ତ ଦଳ ତ୍ୟାଗ କରିଥିଲେ। ସରଳା ସାଧାରଣତଃ ମାଲଦାରୁ ନିର୍ବାଚିତ ହୋଇଆସିଥିଲେ। କିନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ହବିବପୁରରୁ ନିର୍ବାଚନ ଲଢ଼ିବା ସକାଶେ ସେ ଅସମ୍ମତ ହୋଇଥିଲେ ଓ ଏନେଇ ମମତାଙ୍କ ସହ ଆଲୋଚନା କରିଥିଲେ। ସେହିପରି ସୋନାଲି ଗୁହା ମମତାଙ୍କର ଜଣେ ପ୍ରମୁଖ ସହଯୋଗୀ ହୋଇଥିଲେ ମଧ୍ୟ ୪ ଥର ଟିଏମସି ଟିକେଟରେ ବିଧାୟିକା ହୋଇଥିବା ସତ୍ତ୍ବେ ତାଙ୍କୁ ଟିକେଟ୍ ଦିଆଯାଇ ନ ଥିଲା। ତେଣୁ ସେ ଶନିବାର ହିଁ ବିଜେପିରେ ମିଶିବେ ବୋଲି ସଙ୍କେତ ଦେଇଥିଲେ। ମମତା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସେଥିରେ ତାଙ୍କର ନାମ ନ ଥିବା ଜାଣିବା ପରେ ସାତଗାଛିଆ ବିଧାୟିକା ସୋନାଲି ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ।

Related Articles

Leave a Reply

Your email address will not be published.

Back to top button