ଭାରତରେ ହେବ ୨୦୨୨ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍

ଜୁରିକ୍: ଅନ୍ତର୍ଜାତୀୟ ଫୁଟବଲ୍ ସଂଘ ଫିଫା କାଉନସିଲ୍ ପକ୍ଷରୁ ଗୁରୁବାର ୧୭ ବର୍ଷରୁ କମ୍ ଓ ସିନିୟର୍ ମହିଳା ବିଶ୍ବକପ୍ ଭେନ୍ୟୁ ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ, ଆସନ୍ତା ବର୍ଷ ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍ ଅନୁଷ୍ଠିତ ହେବ। ସେହିପରି ୨୦୨୩ରେ ସିନିୟର୍ ମହିଳା ବିଶ୍ବକପ୍ ମିଳିତ ଭାବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି। ୨୦୨୦ରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପଟି ଭାରତରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଥିରେ ଅନ୍ୟତମ ଭେନ୍ୟୁ ଭାବେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ମଧ୍ୟ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ କୋରୋନା ସଂକ୍ରମଣ କାରଣରୁ ଏହା ଆୟୋଜିତ ହୋଇପାରି ନ ଥିଲା। ତେବେ ଆସନ୍ତା ୨୦୨୨ରେ ଭାରତରେ ହେବାକୁ ଥିବା ଏହି ବିଶ୍ବକପ ଉକ୍ତ ବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସଂସ୍କରଣର ଭେନ୍ୟୁ ପୂର୍ବ ପରି ଅପରିବର୍ତ୍ତିତ ରହିବ ବୋଲି ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ କୁହାଯାଇଛି।  ସେହିପରି ୨୦୨୩ ଫିଫା ସିନିୟର୍ ମହିଳା ବିଶ୍ବକପ୍ ଜୁଲାଇ ୨୦ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ଥର ପାଇଁ ୨୪ଟି ପରିବର୍ତ୍ତେ ୩୨ଟି ଟିମ୍ ଭାଗନେବେ ଓ ମ୍ୟାଚଗୁଡ଼ିକ ୧୦ଟି ଭେନ୍ୟୁରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି।

ଏହି ସଂସ୍କରଣ ସକାଶେ ୩ଟି କ୍ବାଲିଫାୟର୍ ବାଛିବା ସକାଶେ ଇଣ୍ଟର-କନଫେଡେରେସନ୍ ପ୍ଲେଅଫ୍ ଉକ୍ତ ବର୍ଷ ଫେବ୍ରୁଆରୀ ୧୭ରୁ ୨୩ ତାରିଖ ମଧ୍ୟରେ ଖେଳାଯିବ। ଫିଫା ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ, ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ପ୍ରଥମ ମ୍ୟାଚ୍ ଏବଂ ଅଷ୍ଟ୍ରେଲିଆର ସିଡନୀ ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରତିଯୋଗିତାର ମ୍ୟାଚଗୁଡ଼ିକ ସକାଶେ ଚୂଡ଼ାନ୍ତ ହୋଇଥିବା ଭେନ୍ୟୁ ମଧ୍ୟରେ ଅକଲ୍ୟାଣ୍ଡ୍ ବ୍ୟତୀତ ନ୍ୟୁଜିଲାଣ୍ଡର ଡୁନେଡିନ୍, ହାମିଲଟନ୍ ଓ ୱେଲିଂଟନ୍ ରହିଛି। ସେହିପରି ଅଷ୍ଟ୍ରେଲିଆର ସିଡନୀ ଷ୍ଟାଡିୟମ୍ ବ୍ୟତୀତ ମେଲବର୍ଣ୍ଣ, ବ୍ରିସବେନ୍, ଆଡିଲେଡ୍ ଓ ପର୍ଥଠାରେ ମ୍ୟାଚଗୁଡ଼ିକ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ସଂସ୍କରଣର ପୂର୍ଣ୍ଣ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ। କିନ୍ତୁ ପ୍ରତିଯୋଗିତାର ଦୁଇଟି ସେମିଫାଇନାଲ୍ ମଧ୍ୟରୁ ଗୋଟିଏ ନ୍ୟୁଜିଲାଣ୍ଡ୍ ଓ ଅନ୍ୟଟି ଅଷ୍ଟ୍ରେଲିଆରେ ଆୟୋଜିତ ହେବା ନେଇ ଫିଫା ପକ୍ଷରୁ ସ୍ପଷ୍ଟ କରାଯାଇଛି। ୪ ଥରର ଚାମ୍ପିଅନ୍ ଆମେରିକା ଏହି ସଂସ୍କରଣରେ ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟ ନେଇ ଅଂଶଗ୍ରହଣ କରିବ। ସୂଚନାଯୋଗ୍ୟ ଯେ ୨୦୨୦ରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପର ୮ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା। ତେଣୁ ୨୦୨୦ରେ ମଧ୍ୟ ଷ୍ଟାଡିୟମକୁ ସମାନ ସଂଖ୍ୟକ ମ୍ୟାଚ୍ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published.

Back to top button