ବିନା ଭକ୍ତରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଥିଲା । ତେବେ ଏହି ଅନିଶ୍ଚିତତା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରାଜ୍ୟ ସରକାର । ରୁକୁଣା ରଥଯାତ୍ରା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ।  ତେବେ  ଚଳିତ ବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ।  ଅନ୍ୟପକ୍ଷରେ ରଥଯାତ୍ରା ଆୟୋଜନ ନେଇ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି ।  ତଦନୁଯାୟୀ ରଥଯାତ୍ରାରେ କୌଣସି ଭକ୍ତ ଭାଗ ନେଇ ପାରିବେ ନାହିଁ ।  ରଥଯାତ୍ରାରେ କେବଳ ସେବାୟତ ଭାଗ ନେଇପାରିବେ ବୋଲି  ଏସଓପି ଜାରି କରାଯାଇଛି ।  ଭାଗ ନେବାକୁ ଥିବା ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ ।  ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ପାଇଁ ଏସଓପିରେ ପରାମର୍ଶ ଦିଆଯାଇଛି ।  ନେଗେଟିଭ ରିପୋର୍ଟ ଥିଲେ ସେବାୟତ ମାସ୍କ ପିନ୍ଧି ଭାଗ ନେବେ ।  ଖାଇବା ଦୋକାନ, ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି ।  ରଥଯାତ୍ରା ଚାଲିଥିବା ବେଳେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ପ୍ରକାଶ ଯେ, ଗତ ୮ ତାରିଖ ଦିନ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆୟୋଜନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ  ହୋଇଥିଲା ।   ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ୪ ନିଯୋଗ ଓ ବିଏମସି କମିଶନର ଉପସ୍ଥିତ ଥିଲେ ।  ଏହି ଅବସରରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା କରିବା ନେଇ ସେବାୟତମାନେ ଦାବି ରଖିଥିଲେ । ତେବେ ବୈଠକ ପରେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇ କହି ଥିଲେ ଯେ, ରୁକୁଣା ରଥଯାତ୍ରା ନେଇ ଆମେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ ।  ବିନା ଭକ୍ତରେ ଆୟୋଜନ ନେଇ ଲକ୍ଷ୍ୟ ରଖିଛୁ । ତେବେ ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛୁ ।  ଯେଉଁ ପାଳିଆ ସେବାୟତମାନେ  ରଥ ଟାଣିବେ ସେମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇ ଥିଲେ ।

Related Articles

Leave a Reply

Your email address will not be published.

Back to top button