ବିଜେପିର ନିର୍ବାଚନ ଇସ୍ତାହାର

ମହିଳାଙ୍କୁ ୩୩% ସଂରକ୍ଷଣ, ସିଏଏ ଲାଗୁହେବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ରବିବାର ଦଳୀୟ ଇସ୍ତାହାର ‘ସୋନାର ବାଲାଂ ସଂକଳ୍ପ ପତ୍ର ୨୦୨୧’ ପ୍ରକାଶ କରିଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଦଳର ଅନ୍ୟ ନେତାମାନେ ଜାରି କରିଥିବା ନିର୍ବାଚନୀ ଇସ୍ତାହାର ଅନୁଯାୟୀ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ମହିଳାଙ୍କୁ ସରକାରୀ ଚାକିରିରେ ୩୩% ସଂରକ୍ଷଣ ସୁବିଧା ଓ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହା ସହିତ ରାଜ୍ୟରେ ନାଗରିକ ସଂଶୋଧନ ଆଇନ (ସିଏଏ) ଓ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବ । ଇସ୍ତାହାର ପ୍ରତିଶ୍ରୁତି ଅନୁଯାୟୀ ମାହିସାୟା, ଟିଲି ଓ ଅନ୍ୟାନ୍ୟ ସମ୍ପ୍ରଦାୟକୁ ପଛୁଆ ବର୍ଗ (ଓବିସି) ରେ ସାମିଲ ପୂର୍ବକ ସଂରକ୍ଷଣ ସୁବିଧା ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦୁର୍ନୀତି ନିବାରଣ ହେଲପଲାଇନ ରହିବ । ଗୋ-ହତ୍ୟା, ସାମ୍ପ୍ରଦାୟିକ ହିଂସା ଓ ରାଜନୈତିକ ହିଂସାର ବିଧିବଦ୍ଧ ତଦନ୍ତ କରାଯିବ । ରାଜନୈତିକ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଥଇଥାନ ପ୍ୟାକେଜ ଦିଆଯିବ । ବଙ୍ଗଳା ଭାଷାକୁ ଆନ୍ତର୍ଜାତିକ ମାନ୍ୟତା ପ୍ରଦାନ କରିବା ଲାଗି ଏହାକୁ ଜାତିସଂଘର ସରକାରୀ ଭାଷା ସ୍ଥାନିତ କରିବାକୁ ଉଦ୍ୟମ କରାଯିବ । କଲକାତାର ଦୁର୍ଗାପୂଜାକୁ ଆନ୍ତର୍ଜାତିକ ମହୋତ୍ସବର ରୂପରେଖ ଦିଆଯିବ । ସରକାରୀ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତିକୁ ରୋକିବାକୁ ଯୋଗ୍ୟତା ପରୀକ୍ଷା କରାଯିବ । ସରକାରୀ କ୍ୟାଣ୍ଟିନରେ ୫ ଟଙ୍କାର ଭୋଜନ ଉପଲବ୍ଧ ହେବ ।

Related Articles

Leave a Reply

Your email address will not be published.

Back to top button