ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ

ତାମିଲନାଡ଼ୁରେ ଡିଏମ୍‌କେ, କେରଳରେ ଏଲ୍‌ଡିଏଫ୍‌, ଆସାମରେ ବିଜେପି, ପୁଡ଼ୁଚେରୀରେ ଏନ୍‌ଡିଏ ସରକାର

ନୂଆଦିଲ୍ଲୀ : ‘ଖେଲା ହୋବେ’ ନାରା ଦେଇ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର୍‌ କରିଥିବା ମମତା ବାନାର୍ଜୀ ଶେଷରେ ଖେଳ ଦେଖାଇବା ସହିତ ପଶ୍ଚିମବଙ୍ଗରେ ବିପୁଳ ବିଜୟ ହାସଲ କରିଛନ୍ତି। ୨୦୦ରୁ ଉର୍ଦ୍ଧ୍ବ ଆସନରେ ବିଜୟ ହାସଲ ସହିତ ମମତାଙ୍କ ତୃଣମୂଳ କଂଗ୍ରେସ ଦଳ (ଟିଏମ୍‌ସି) ପୁଣିଥରେ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପିକୁ କ୍ଷମତାସୀନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଧୂଆଁଧାର୍‌ ପ୍ରଚାର କାମ ଦେଇନି। ଦିଦିଙ୍କ ଦମ୍‌ ଆଗରେ ବିଜୟର ସବୁ ଆଶା ଧୂଳିସାତ୍‌ ହୋଇଯାଇଛି। ଅନ୍ୟପକ୍ଷରେ ଆସାମରେ କ୍ଷମତାସୀନ ବିଜେପି ଏବଂ କେରଳ ବାମମେଣ୍ଟ ଏଲ୍‌ଡିଏଫ୍‌ ପୁଣିଥରେ ସରକାର ଗଢ଼ିବାକୁ ଯାଉଛି। ତାମିଲନାଡ଼ୁରେ ବିରୋଧୀ ଦଳ ଡିଏମ୍‌କେ ନେତୃତ୍ବାଧୀନ ୟୁପିଏ ମେଣ୍ଟ କ୍ଷମତାରେ ଥିବା ଏଆଇଏଡିଏମ୍‌କେକୁ ହଟାଇବାରେ ସକ୍ଷମ ହୋଇଛି। କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ଏଆଇଏନ୍‌ଆର୍‌ସି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ବିଜୟ ଆଡ଼କୁ ଅଗ୍ରସର ହେଉଛି। ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ପରିଣାମ ଆଜି ଆସିଥିବାବେଳେ ସମଗ୍ର ଦେଶର ନଜର ପଶ୍ଚିମବଙ୍ଗ ଉପରେ ରହିଥିଲା। ପଶ୍ଚିମବଙ୍ଗରେ ଭୋଟଗ୍ରହଣ ହୋଇଥିବା ୨୯୨ ଆସନରୁ ଟିଏମ୍‌ସି ୨୧୪ ଆସନ ପାଇଥିବାବେଳେ ବିଜେପି ୭୬ ଆସନରେ ସୀମିତ ରହିଯାଇଛି। ସିପିଏମ୍‌ ଏବଂ ଅନ୍ୟମାନଙ୍କୁ ଗୋଟିଏ ଲେଖାଏଁ ଆସନ ମିଳିଛି। ଟିଏମ୍‌ସି ୪୮.୫ ପ୍ରତିଶତ ଭୋଟ୍‌ ହାସଲ କରିଥିବା ବେଳେ ବିଜେପିର ଭୋଟ୍‌ ପ୍ରତିଶତ ୩୭.୪ ରହିଛି। ତେବେ ଦଳ ପାଇଁ ଆଶାତୀତ ସଫଳତା ଆଣିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରେ ଅତି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାରି ଯାଇଛନ୍ତି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ୧୭୩୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଦୀର୍ଘଦିନ ଧରି ହ୍ବିଲ୍‌ଚେୟାରରେ ଥିବା ମମତା ଆଜି ସନ୍ଧ୍ୟାରେ ଚାଲି ଚାଲି ଲୋକଙ୍କ ଗହଣକୁ ଆସି ଅଭିନନ୍ଦନ ଜଣାଇଥିଲେ ଏବଂ ଟିଏମ୍‌ସିର ବିଜୟକୁ ରାଜ୍ୟର ଜନସାଧାରଣଙ୍କ ବିଜୟ ବୋଲି କହିଥିଲେ। ପଶ୍ଚିମବଙ୍ଗ ପରିଣାମ ରାଜ୍ୟ ବିଜେପି ନେତାମାନଙ୍କୁ ହତବାକ୍‌ କରିଦେଇଥିବାବେଳେ ଦଳ ଏହାର ଆତ୍ମମନ୍ଥନ କରିବ ବୋଲି ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ କହିଛନ୍ତି। ଅନ୍ୟପକ୍ଷରେ ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୟାଟ୍ରିକ୍‌ ହାସଲ ସହ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେବାକୁ ଯାଉଥିବା ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ବାର୍ତ୍ତାରେ ‘ମମତା ଦିଦି’ ବୋଲି ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଅଭି‌ଳାଷ ପୂରଣ କରିବା ସହିତ କୋଭିଡ୍‌ ମୁକାବିଲାରେ କେନ୍ଦ୍ର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ।

Related Articles

Leave a Reply

Your email address will not be published.

Back to top button