ଚୋକ୍ସିଙ୍କୁ ଭାରତ ପ୍ରତ୍ୟର୍ପଣ କରିବ ଆଣ୍ଟିଗୁଆ

ଆଣ୍ଟିଗୁଆ: ଡୋମନିକାରେ ଧରାପଡ଼ିଥିବା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ ବୋଲି କହିଛନ୍ତି ଆଣ୍ଟିଗୁଆ ଓ ବରବୁଡ଼ା ପ୍ରଧାନମନ୍ତ୍ରୀ ଗଷ୍ଟନ ବ୍ରାଉନ। ଏଠାରେ ସୂଚନାଯୋଗ୍ୟ ଯେ ମେହୁଲ ଚୋକ୍ସି ଭାରତରେ ୧୨ ହଜାର କୋଟି ଟଙ୍କାର ପିଏନବି ଠକେଇ ମାମଲାରେ ଧରାପଡ଼ିବା ପୂର୍ବରୁ ଚତୁରତାର ସହ ଦେଶ ଛାଡ଼ି ଚାଲି ଯିବାରେ ସଫଳ ହୋଇଥିଲେ। ଏହାପରେ ତାଙ୍କୁ ଖୋଜାଖୋଜି କରାଯିବା ପରେ ସେ ଆଣ୍ଟିଗୁଆରେ ୨୦୧୭ରୁ ନାଗରିକତ୍ବ ନେଇ ରହୁଥିବା ସାମ୍ନାକୁ ଆସିଥିଲା। ମାତ୍ର ଆଣ୍ଟିଗୁଆ ସରକାର ମଧ୍ୟ ଚୋକ୍ସିଙ୍କ ନାଗରିକତ୍ବକୁ ସେଠାକାର କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ବେଳେ ତାହା ଏବେ ବିଚାରାଧିନ ରହିଛି। ଏହିପରି ସ୍ଥିତିରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ଆଗେଇ ପାରୁ ନ ଥିଲା ବେଳେ ଚୋକ୍ସି ଆଣ୍ଟିଗୁଆ ସରକାରଙ୍କ ଆଖିରେ ଧୂଳି ଦେଇ ଖସି ଯିବାରେ ସଫଳ ହୋଇଥିଲେ।

ଆଣ୍ଟିଗୁଆରୁ ଚୋକ୍ସି ଜଳପଥରେ ଡୋମନିକା ପଳାଇବାରେ ସମର୍ଥ ହୋଇଥିଲେ ବି ତାଙ୍କୁ ଇଣ୍ଟରପୋଲ ସହାୟତାରେ ଡୋମନିକାରେ ଗିରଫ କରାଯାଇଥିବା ସୂଚନା ଆସିଛି। ଡୋମନିକା ସିଆଇଡି ସ୍କ୍ବାଡକୁ ଚୋକ୍ସିଙ୍କୁ ହସ୍ତାନ୍ତର କରାଯାଇଛି। ଏହାପରେ ତାଙ୍କୁ ଆଣ୍ଟିଗୁଆ ଆଣିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିପରି ସ୍ଥିତିରେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ କୌଣସି ସ୍ଥିତିରେ ଚୋକ୍ସିଙ୍କୁ ଏଠାରେ ରହିବା ପାଇଁ ଅନୁମତି ଦେବୁ ନାହିଁ। ସେ ଏହି ଦ୍ବୀପ ଦେଶରୁ ଲୁଚି ପଳାଇଯାଇ ମସ୍ତଭଡ଼ ଭୁଲ କରିଛନ୍ତି। ତାଙ୍କୁ କ୍ଷମା କରାଯିବା ପ୍ରଶ୍ନ ଉଠୁ ନାହିଁ। ଡୋମନିକା ସରକାର ଆମ ସହ ଯୋଗାଯୋଗରେ ଅଛନ୍ତି। ସେ ଆଣ୍ଟିଗୁଆ ଫେରିବା ପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ନେଇ ପ୍ରକ୍ରିୟା ଆରମ୍ଭ କରାଯିବ। ଏନେଇ ଭାରତ ସରକାରଙ୍କୁ ଅବଗତ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button