ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କ ଟିକାକରଣ ଶେଷ ହେବ: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଗତ ଜାନୁଆରୀ ୧୬ ତାରିଖଠାରୁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମୁଖ୍ୟତଃ ଦୁଇଟି ଟିକାର ଉପଯୋଗ କରାଯାଉଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବା ପରେ ବର୍ତ୍ତମାନ ଏହି ଟିକାକରଣ କାର୍ଯ୍ୟକ୍ରମର ୩ୟ ପର୍ଯ୍ୟାୟ ଜାରି ରହିଛି। ତେବେ ଦେଶର ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟିକା ପ୍ରଦାନ କରାଯାଇସାରିଥିବ ବୋଲି ମତ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ। ଦେଶର ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣ କାର୍ଯ୍ୟକ୍ରମର ଅଗ୍ରଗତି ସହ କୋଭିଡ୍-୧୯ଜନିତ ସ୍ଥିତିର ସମୀକ୍ଷା ଅବସରରେ ଡ. ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଦେଶରେ ବ୍ୟାପକ ମାତ୍ରାରେ କୋଭିଡ୍ ଟିକା ଉପଲବ୍ଧ କରାଇବା ସକାଶେ କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ ସଂସ୍ଥାମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇ ଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ।

ତେଣୁ ଆଗାମୀ କିଛି ମାସ ଭିତରେ କୋଭିଡ୍ ଟିକାର ଉତ୍ପାଦନ ହାର ଯଥେଷ୍ଟ ମାତ୍ରାରେ ବଢ଼ିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ବେଶ୍ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଜୁଲାଇ ସୁଦ୍ଧା ୫୧ କୋଟି କୋରୋନା ଟିକା ଆମଦାନୀ କରାଯିବ। ଏହାଛଡ଼ା ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି କୋଭିଡ୍ ଟିକା ଡୋଜ୍ ଭାରତରେ ପହଞ୍ଚିସାରିଥିବ ବୋଲି ମଧ୍ୟ ଡ. ବର୍ଦ୍ଧନ କହିଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ଦେଶରେ ଜାରି ରହିଥିବା ଟିକାକରଣ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ମଧ୍ୟରୁ ପାଖାପାଖି ୭୦ ପ୍ରତିଶତ କେନ୍ଦ୍ର ସରକାର ଯୋଗାଇ ଦେଇଥିବା କେନ୍ଦ୍ର ମନ୍ତ୍ରୀ କହିବା ସହ ଶନିବାର ପୂର୍ବାହ୍ନ ସୁଦ୍ଧା ଦେଶରେ ମୋଟ ୧୯.୭୩ କୋଟି ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇସାରିଥିବା ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button