ଘରୋଇ ହସ୍ପିଟାଲ୍‌ ପାଇଁ ଟିକା ଦର ଧାର୍ଯ୍ୟ

ଭୁବନେଶ୍ବର: ଘରୋଇ ହସ୍ପିଟାଲ୍‌ ପାଇଁ ଭାରତରେ ଉପଲବ୍ଧ ତିନୋଟି ଟିକାର ଦର ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। କୋଭାକ୍ସିନ, କୋଭିଶିଲ୍‌ଡ ଓ ସ୍ପୁଟନିକ୍‌ ଭି ପାଇଁ ଦର ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ସରକାର ଦେଉଥିବା ମାଗଣା ଟିକାରେ କୋଭିଡ୍ ଟିକାକରଣ ଅଭିଯାନକୁ ରାଜ୍ୟ ସରକାର ଜୋର୍‌ଦାର୍‌ କରିଥିବା ବେଳେ ଘରୋଇ ହସ୍ପିଟାଲଗୁଡ଼ିକରେ କେଉଁ ଟିକାର ଡୋଜ୍ ପିଛା କେତେ ଟଙ୍କା ପଡ଼ିବ ସେ ନେଇ ରେଟ୍ ଚାର୍ଟ ଜାରି କରିଛନ୍ତି। ଡୋଜ୍ ପିଛା ୭୮୦ରୁ ୧୧୪୫ଟଙ୍କା ଧାର୍ଯ୍ୟ ହୋଇଛି। ଏହି ନିର୍ଦ୍ଧାରିତ ଦରଠୁ କେହି ଅଧିକ ଦର ନେଇପାରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ହସ୍ପିଟାଲ୍‌ମାନେ ଯେପରି ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ଲୋକଙ୍କଠାରୁ ନେବେ ନାହିଁ, ସେଥିପାଇଁ ନିୟମିତ ଯାଞ୍ଚ କରିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ କୋଭାକ୍ସିନ୍‌ ଡୋଜ୍‌ ପିଛା ୧୪୧୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ କୋଭିଶିଲ୍‌ଡ ଡୋଜ୍‌ ପିଛା ୭୮୦ ଟଙ୍କା ଏବଂ ସ୍କୁଟ୍‌ନିକ୍‌ ଭି ୧୧୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଟିକା ଉତ୍ପାଦନକାରୀଙ୍କୁ ଠାରୁ ୬୦୦ ଟଙ୍କାରେ ଘରୋଇ ମେଡିକାଲ୍‌ କିଣିବ କୋଭିଶିଲ୍‌ଡ, ୧୨୦୦ ଟଙ୍କାରେ କୋଭାକ୍ସିନ୍‌ ଏବଂ ସ୍ପୁଟନିକ୍‌-ଭି ୯୪୮ ଟଙ୍କାରେ ଘରୋଇ ହସ୍ପିଟାଲ୍‌ ଟିକା କିଣିବେ। ମୂଳ ଦର ଠାରୁ ଜିଏସ୍‌ଟିକୁ ଛାଡ଼ି ୧୫୦ ଟଙ୍କା ପର୍ଯ୍ୟନ୍ତ ସର୍ଭିସ୍‌ ଚାର୍ଜ ନେଇ ପାରିବେ ଘରୋଇ ହସ୍ପିଟାଲ। ଏହି ଧାର୍ଯ୍ୟ ଦରଠୁ ଯଦି କୌଣସି ଘରୋଇ ହସ୍ପିଟାଲ ଅଧିକ ଦର ନିଅନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାପାତ୍ର ନିର୍ଦେଶ ଦେଇଛନ୍ତି। କୋ-ୱିନ୍ ୱେବ୍‌ସାଇଟ୍‌ରେ ମଧ୍ୟ ଏହି ଦର ଉଲ୍ଲେଖ ରହିଛି। ଘରୋଇ ହସ୍ପିଟାଲମାନେ ଯେପରି ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ଲୋକଙ୍କଠାରୁ ନେବେ ନାହିଁ, ସେଥିପାଇଁ ନିୟମିତ ଯାଞ୍ଚ କରିବାକୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button