ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ

କଟକ: ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହାକୁ ମାନବତାର ପ୍ରତିମୂର୍ତ୍ତି ନାମରେ ନାମିତ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶତ ବର୍ଷ ପାଳନ ଉତ୍ସବ ଗତ ମାର୍ଚ୍ଚ ୨୩ ତାରିଖରୁ ସାରା ରାଜ୍ୟରେ ଆରମ୍ଭ କରାଯାଇଛି। ମହାତ୍ମା ଗାନ୍ଧୀ ତାଙ୍କର ଓଡ଼ିଶା ଗସ୍ତର ପ୍ରଥମ ଚରଣରେ କଟକ କାଠଯୋଡ଼ି ନଦୀ ବାଲିରେ ଆୟୋଜିତ ଏକ ବିରାଟ ଜନସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ମହାତ୍ମାଙ୍କ ଓଡ଼ିଶା ଆଗମନର ସ୍ମାରକୀ ଭାବରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଠଯୋଡ଼ିର ବେଲ ଭ୍ୟୁ ଛକରେ ନିର୍ମିତ ଗାନ୍ଧୀ ଭିତ୍ତି ସ୍ଥାପତ୍ୟ କଳାର ଲୋକାର୍ପଣ ମଧ୍ୟ କରିଛନ୍ତି । ଏଥିରେ ଗାନ୍ଧୀଙ୍କ ବିଭିନ୍ନ ଆନ୍ଦୋଳନର ଦୃଶ୍ୟ ସମେତ ତାଙ୍କ ଆଦର୍ଶ ଓ ନୀତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇଛି। ଆଜି ଉତ୍କଳ ଦିବସ ଅବସରରେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର୍ୟ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

Related Articles

Leave a Reply

Your email address will not be published.

Back to top button