କରୋନା ଔଷଧ ‘ଟୁ-ଡିଜି’ର ଶୁଭାରମ୍ଭ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।  ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା  ଆଜି ଶୁଭାରମ୍ଭ ହେଲା ଡିଆରଡିଓ ବିକଶିତ କରିଥିବା କରୋନା ଔଷଧ ‘ଟୁ-ଡିଜି’ । ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିତ ଭାବେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଅର୍ଗାନାଇଜେସନ୍ ଏହି ଔଷଧ ତିଆରି କରିଛି । ଉଦଘାଟନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହଷବର୍ଦ୍ଧନ ଉପସ୍ଥିତ ଅଛନ୍ତି । ଆଜି ରାଜନାଥ ସିଂ ୧୦ ହଜାର ଡୋଜ୍ ବଂଟନ କରିବେ । ଦିଲ୍ଲୀର କିଛି ହସପିଟାଲରେ ଏହାକୁ ଦିଆଯିବ । ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧ କରୋନା ଚିକିତ୍ସାରେ ବେଶ ଉପଯୋଗୀ ହେବ ବୋଲି କୁହାଯାଇଛି । କରୋନା ବିରୋଧରେ ଲଢ଼ିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା, ଏହାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଏହା ଫଳପ୍ରଦ ହୋଇଥିବା ସୂଚନା ମିଳିଛି । ବିଶେଷ କରି ହସପିଟାଲରେ ରୋଗୀଙ୍କ ରହଣୀ ସମୟକୁ ଏହି ଔଷଧ କମାଇ ଥାଏ । ଏବଂ ଅକ୍ସିଜେନ୍ ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ । ଏହି ମେଡିସିନ୍ ପାଉଡର ଆକାରରେ ମିଳେ, ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ଦିଆଯାଇଥାଏ ।

Related Articles

Leave a Reply

Your email address will not be published.

Back to top button