ଏଥର ଶ୍ରୀମନ୍ଦିର ବାହାରେ ଚନ୍ଦନ ଯାତ୍ରା

ପୁରୀ: କୋରୋନା ପାଇଁ ଗତବର୍ଷ ଶ୍ରୀମନ୍ଦିର ବାହାରେ ହୋଇ ପାରି ନ ଥିବା ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଚଳିତ ବର୍ଷ କିନ୍ତୁ ଶ୍ରୀମନ୍ଦିର ବାହାରେ କରାଯିବ। ମଙ୍ଗଳବାର ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ୧୪୪ ଧାରା ଲାଗୁ କରାଯାଇ ସମୀତ ସଂଖ୍ୟକ ସେବାୟତଙ୍କୁ ନେଇ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଉତ୍ସବ ପାଳିତ ହେବ। ଯେଉଁ ସେବାୟତ ଏହି ଉତ୍ସବରେ ସାମିଲ୍‌ ହେବେ ସେମାନଙ୍କର କୋରୋନା ଟେଷ୍ଟ୍‌ କରାଯିବ। ରିପୋର୍ଟ ନେଗେଟିଭ୍‌ ଥିବା ସେବାୟତଙ୍କୁ ଅନୁମତି ମିଳିବ। ସେହିପରି ରଥ ନିର୍ମାଣ ବେଳେ ୧୪୪ ଧାରା ଜାରି କରାଯିବ। ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ଆଇସୋଲେସନ୍‌ରେ ରହିବେ ବୋଲି ନିଷ୍ପତ୍ତି ହୋଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ପାଇଁ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯାଇଛି। ଚନ୍ଦନ ଯାତ୍ରାର ପ୍ରତ୍ୟେକ ଦିନ ସୀମିତ ସେବାୟତଙ୍କୁ ନେଇ ସମସ୍ତ ରୀତିନୀତି କରାଯିବ। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ୨୧ ଦିନ ଧରି ମନ୍ଦିର ବାହାରେ ହେବାକୁ ଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖରେ ୧୪୪ଧାରା ଜାରି ହେବ। ଏଥିରେ ସାମିଲ୍‌ ହେବାକୁ ଥିବା ସେବକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସମସ୍ତଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। କୋରୋନା ସଂକ୍ରମଣ ଯୋଗୁ ଏଥର ଶ୍ରୀଜୀଉଙ୍କ ଚାପ ଖେଳ ଦେଖିବା ପାଇଁ ଲୋକଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। ଏହି କାରଣରୁ ଚନ୍ଦନ ଯାତ୍ରାକୁ ଟିଭିରେ ପ୍ରସାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଦର୍ଶନ ପାଇଁ ଗଣମାଧ୍ୟମକୁ ଚନ୍ଦନ ଯାତ୍ରାର ଲାଇଭ ଫିଡ୍ ଦିଆଯିବାକୁ ବ୍ୟବସ୍ଥା ହୋଇଛି।

Related Articles

Leave a Reply

Your email address will not be published.

Back to top button