ଆସାମ ନିର୍ବାଚନ

ତାରକା ପ୍ରଚାରକ ତାଲିକାରେ ମୋଦୀ, ଶାହ ଓ ଯୋଗୀ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜେପି ପକ୍ଷରୁ ପ୍ରଚାର ସକାଶେ ବୁଧବାର ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ରହିଛନ୍ତି। ଏହାଛଡ଼ା ଏହି ତାଲିକାରେ ଏକାଧିକ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନୀତିନ୍ ଗଡ଼କରୀ, ନରେନ୍ଦ୍ର ସିଂ ତୋମାର, ସ୍ମୃତି ଇରାନୀ, ଅର୍ଜୁନ ମୁଣ୍ଡା, ଜିତେନ୍ଦ୍ର ସିଂ, ମୁଖତାର ଅବ୍ବାସ୍ ନକଭୀ, ଅନୁରାଗ ସିଂ ଠାକୁର, ବିଏଲ୍ ସନ୍ତୋଷ, ବୈଜୟନ୍ତ ଜୟ ପଣ୍ଡା, ଦିଲୀପ ସାଇକିଆ, ଶାହ ନୱାଜ୍ ହୁସେନ୍, ପୂନମ୍ ମହାଜନ, ମନୋଜ ତିୱାରୀ, ରବି କିଶନ୍ ଓ ଲକେଟ୍ ଚାଟ୍ଟାର୍ଜୀ ପ୍ରମୁଖ। ଆହୁରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍, ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ୍ ସିଂ ମଧ୍ୟ ଏହି ତାରକା ପ୍ରଚାରକଙ୍କ ତାଲିକାରେ ସ୍ଥାନ ପାଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ଇତିମଧ୍ୟରେ ତିନି ତିନି ଥର ଆସାମରେ ନିର୍ବାଚନ ପ୍ରଚାର ଶେଷ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ମଧ୍ୟ ଦିବ୍ରୁଗଡ଼ ଜିଲ୍ଲାର ଛାବୁଆଠାରେ ଏକ ନିର୍ବାଚନୀ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆସାମରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୧୨୬ଟି ଆସନ ମଧ୍ୟରୁ ଶହେରୁ ଅଧିକ ଆସନ ହାତେଇବା ସକାଶେ ଲକ୍ଷ୍ୟ ରଖିଛି। ଗତ ମାସରେ ନିର୍ବାଚନ କମିଶନ୍ ଆସାମ ସମେତ ୪ଟି ରାଜ୍ୟ ଓ ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ସକାଶେ ତାରିଖ ଘୋଷଣା କରିଥିଲେ। ଆସନ୍ତା ମାର୍ଚ୍ଚ ୨୭ ତାରିଖଠାରୁ ଏପ୍ରିଲ୍ ୨୭ ତାରିଖ ପର୍ଯ୍ୟନ୍ତ ଏହି ୫ଟି ରାଜ୍ୟରେ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପରେ ମେ’ ୨ ତାରିଖରେ ଫଳାଫଳ ଘୋଷଣା ହେବ ବୋଲି କମିଶନ୍ ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published.

Back to top button