ଆସନ୍ତା ସପ୍ତାହରୁ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ପୁଣି ଫେରିଛି ସପ୍ତାହାନ୍ତ ଶଟ୍‌ଡାଉନ୍। ଆସନ୍ତା ଶନିବାର ଅର୍ଥାତ୍ ୨୪ ତାରିଖ ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍ ଲାଗୁ ହେବ। ଏହି ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଅନୁରୋଧ କରିଛନ୍ତି। ଏହାପୂର୍ବରୁ କେବଳ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ଶଟ୍‌ଡାଉନ୍ ଲାଗୁ ହୋଇଥିଲା। ହେଲେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ଏସ୍‌ଆରସି। ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସପ୍ତାହାନ୍ତ ଶଟ୍‌ଡାଉନ୍‌ରେ ଅତ୍ୟାବଶ୍ୟକ ସେବାକୁ କଟକଣା ମୁକ୍ତ କରାଯାଇଛି। ଅନ୍ୟପଟେ ଏହି ସପ୍ତାହାନ୍ତ ଶଟ୍‌ଡାଉନ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ପାସ୍ ବ୍ୟବସ୍ଥା ରହିବ ନାହିଁ। ଅନୁମତି ଥିବା ବ୍ୟକ୍ତି ବିଶେଷମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଆସ କରିପାରିବେ। ଅନ୍ୟପକ୍ଷରେ ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚକୁ ମଧ୍ୟ ବନ୍ଦ କରାଯାଇଛି। ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି , ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି।ଗତବର୍ଷ ସେପ୍ଟେମ୍ବର ମାସରେ ସକ୍ରିୟ ସଂକ୍ରମିତ ୪୫୦୦ ଥିବାବେଳେ ଏବେ ଦ୍ୱିତୀୟ ଲହରୀରେ ଆଜି ୪୪୪୫ଜଣ ସଂକ୍ରମିତ ଅଛନ୍ତି। ତେଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ବଳବତ୍ତର ଥିବାବେଳେ ଏଣିକି ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଞ୍ଚଳରେ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଘୋଷଣା କରାଯାଇଛି। ପୂର୍ବରୁ ଛତିଶଗଡ଼ ସୀମାବର୍ତ୍ତୀ ଯେଉଁ ୧୦ଟି ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସାପ୍ତାହିକ ଶଟଡାଉନ୍ ରହିଛି। ଏବେ ପଶ୍ଚିମ ଓଡ଼ିଶାର ଏହି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିଲାବେଳେ ବାକି ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ପୂର୍ବଭଳି ଜାରି ରହିବ। ଶଟ୍‌ଡାଉନ୍ ସମୟରେ ସ୍ୱାସ୍ଥ୍ୟ ସେବା ସହ ସମ୍ପୃକ୍ତ ବ୍ୟକ୍ତି, ମେଡିସିନ୍ ଦୋକାନ,ଆମ୍ବୁଲାନ୍ସ, ପୋଲିସ୍ , ଅଗ୍ନିଶମ ସେବା, ଜରୁରୀକାଳୀନ ସେବା ସହ ଜଡ଼ିତ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ୍‌ , ଏଲପିଜି ବଣ୍ଟନ, ହୋମ୍‌ ଡେଲିଭରୀ, ପ୍ରିଣ୍ଟ୍‌ ଓ ଇଲେକ୍ଟ୍ରୋନିକ୍ ମିଡିଆ, ଜଳ ଯୋଗାଣ, ବିଦ୍ୟୁତ୍ ବଣ୍ଟନ, ମାଲ ପରିବହନ, ଶିଳ୍ପସଂସ୍ଥା, ଚାଷ କାର୍ଯ୍ୟ ଆଦି କଟକଣାରୁ ବାଦ୍ ଦିଆଯାଇଛି।

ସେହିପରି ରେଳ ଓ ବିମାନ ଚଳାଚଳ, ସାଧାରଣ ପରିବହନ ବ୍ୟବସ୍ଥା, ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ବା ଟ୍ୟାକ୍ସି, ଖାଦ୍ୟର ହୋମ୍ ଡେଲିଭରୀ, ଢାବାରୁ ଖାଦ୍ୟ ନେବା ମଧ୍ୟ କଟକଣା ସମୟରେ ଚାଲିପାରିବ। ଖବରକାଗଜ ହକର ମାନଙ୍କୁ ସକାଳ ୫ଟାରୁ ୮ ଟା ପର୍ଯ୍ୟନ୍ତ ଅନୁମତି ମିଳିବ। ଏଥିପାଇଁ କୌଣସି ପାସ୍‌ର ବ୍ୟବସ୍ଥା ନାହିଁ। ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର କିମ୍ବା ଆବଶ୍ୟକୀୟ ଡକ୍ୟୁମେଣ୍ଟ୍‌ ଦେଖାଇ ଯାଇପାରିବେ। ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ୍‌, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏହା ବାଦ୍ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି। ଅଙ୍ଗନବାଡ଼ି ପିଲାଙ୍କୁ ସେମାନଙ୍କ ଘରେ ରାସନ୍ ଯୋଗାଇ ଦିଆଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି। ଏହା ବ୍ୟତୀତ ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ସରକାର ଜାରି କରିଥିବାବେଳେ ବାହାଘରରେ ଯୋଗ ଦେବାକୁ ଥିବା ସର୍ବାଧିକ ୫୦ ଜଣଙ୍କ ତାଲିକା ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡ଼ିବ। ବିବାହ ଶୋଭାଯାତ୍ରା କଲେ ଗାଡ଼ି, ମାଇକ, ବ୍ୟାଣ୍ଡପାର୍ଟି ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହୋଟେଲ୍‌, ରେସ୍ତୋରାଁ ବାହାର ଲୋକ ବସି ଖାଇବା ଉପରେ କଟକଣା ଜାରି କରାଯିବା ସହ କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ ବୋଲି ଏସ୍‌ଆର୍‌ସି କହିଛନ୍ତି।

Related Articles

Leave a Reply

Your email address will not be published.

Back to top button