ଦେଶରେ ୩୫ ଏକ୍ସପ୍ରେସ୍ ୱେ, ଓଡ଼ିଶାରେ ଶୂନ୍
ଭୁବନେଶ୍ୱର: ସ୍ଥିର ଶାସନ, ବଡ଼ ବଜାର, ଶାନ୍ତି ଶୃଙ୍ଖଳା ଓ ଶସ୍ତାରେ କର୍ମଜୀବୀ ଲୋକ ମିଳୁଥିବାରୁ ଅଧିକାଂଶ ବହୁରାଷ୍ଟ୍ରୀୟ କମ୍ପାନୀ ଏବେ ଭାରତ ମୁହାଁ । ସେଥିପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ (ଏସିଇ) ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଦେଶରେ ୧୩ଟି ରାଜ୍ୟରେ ଏଭଳି ୩୫ଟି ରାଜମାର୍ଗ ନିର୍ମାଣ ହେଊଛି । ହେଲେ ଦୁôଃଖର କଥା ଓଡ଼ିଶାର କୌଣସି ରାଜମାର୍ଗ ଏହି ବର୍ଗରେ ସାମିଲ ନାହିଁ । ଫଳରେ ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ ଅଭାବରୁ ଓଡ଼ିଶା ପଛରେ ପଡ଼ିଯିବ । ଆର୍ଥିକ ଦିଗରୁ ଓଡ଼ିଶା ପ୍ରଭୁତ କ୍ଷତି ସହିବ ।
ଆମର ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଏବେ ଓଡ଼ିଶା ସମେତ ଦେଶରେ ଯେଉଁ ଏକ୍ସପ୍ରେସ୍ ୱେ ରହିଛି ସେସବୁ ‘ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ’ ନୁହଁନ୍ତି । ଉଭୟଙ୍କ ମଧ୍ୟରେ ଅନେକ ଭିନ୍ନତା ରହିଛି । ବହୁ ରାଷ୍ଟ୍ରୀୟ କମ୍ପାନୀମାନେ ଏସିଇ ରାଜମାର୍ଗ ନଥିଲେ ପ୍ଲାଣ୍ଟ ବସାଇବାକୁ ପସନ୍ଦ କରିବେ ନାହିଁ । ଚୀନ ଏସବୁ ସୁବିଧା ଦେଇ କମ୍ପାନୀଗୁଡ଼ିକୁ ଆକର୍ଷିତ କରିଥିଲା । ମାତ୍ର କୋଭିଡ୍ ପରବର୍ତ୍ତୀ ସମୟରେ ସ୍ଥିତି ବଦଳିଥିବାରୁ ଏବଂ ଚୀନର ରୂଢ଼ିବାଦୀ ନୀତି ଯୋଗୁଁ କମ୍ପାନୀମାନେ ଭାରତରେ ସେମାନଙ୍କ ପ୍ଲାଣ୍ଟ ବସାଇବାକୁ ପ୍ରସ୍ତାବ ଦେଇଛନ୍ତି । ଭାରତ ସରକାର ବି ଏହାକୁ ସ୍ୱାଗତ କରିଛନ୍ତି ।
ଭାରତରେ ଏବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଛାଡ଼ି ୧୩ଟି ରାଜ୍ୟରେ ମୋଟ୍ ୩୫ଟି ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ ନିର୍ମାଣ ହେଉଛି । ଏହାର ଦୂରତା ରହିଛି ୩,୩୪୬ କିଲୋମିଟର । ଉତ୍ତରପ୍ରଦେଶର ମୋଟ୍ ୮ଟି ରାଜମାର୍ଗରେ ୧୩୯୬ କିମି, ମହାରାଷ୍ଟ୍ରର ୫ଟି ରାଜମାର୍ଗରେ ୬୬୯.୩ କିମି, ହରିଆନାର ୭ଟି ରାଜମାର୍ଗରେ ୪୬୯.୭ କିମି, ତେଲେଙ୍ଗାନ।।ର ୨ଟି ରାଜମାର୍ଗରେ ୧୬୯.୬ କିମି, ତାମିଲନାଡ଼ୁର ୨ଟି ରାଜମାର୍ଗରେ ୯୪.୮ କିମି, ଗୁଜରାଟର ୧ଟି ରାଜମାର୍ଗରେ ୯୩.୧ କିମି, ରାଜସ୍ଥାନର ୧ଟି ରାଜମାର୍ଗରେ ୯୦ କିମି, ଝାଡ଼ଖଣ୍ଡରେ ୧ଟି ରାଜମାର୍ଗରେ ୮୫ କିମି, କର୍ଣ୍ଣାଟକର ୪ଟି ରାଜମାର୍ଗରେ ୬୨ କିମି, ବିହାରର ୨ଟି ରାଜମାର୍ଗରେ ୩୩ କିମି, ପଶ୍ଚିମବଙ୍ଗର ୨ଟି ରାଜମାର୍ଗରେ ୩୦.୨ କିମି, ଦିଲ୍ଲୀର ୪ଟି ରାଜମାର୍ଗରେ ୨୬.୬ କିମି ଏବଂ ଛତିଶଗଡ଼ର ୧ଟି ରାଜମାର୍ଗରେ ୧୨ କିମି ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେରେ ରୂପାନ୍ତରିତ ହୋଇଛି । ହେଲେ ଓଡ଼ିଶାରେ କୌଣସି ବି ରାଜମାର୍ଗ ଏଥିରେ ସାମିଲ ନାହିଁ ।
ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ରାଜମାର୍ଗ ନିର୍ମାଣ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ଏହି ରାଜମାର୍ଗରେ ଯାତ୍ରା କଲେ ସମୟ ପ୍ରାୟ ଅଧାଅଧି ବଞ୍ଚିଥାଏ । ଅର୍ଥାତ ଗାଡ଼ି ଚାଳକ ଘଣ୍ଟାପ୍ରତି ସର୍ବାଧିକ ୧୨୦ କିଲୋମିଟର ବେଗରେ ଗାଡ଼ି ଚଳାଇପାରିବେ । ମାତ୍ର ଅନ୍ୟ ଏକ୍ସପ୍ରେସ୍ ୱେରେ ସର୍ବାଧିକ ବେଗ ରହିଛି ୭୫ କିମି । ଯଦି ମୁମ୍ବାଇ-ନାଗପୁର ଏକ୍ସପ୍ରେସ୍ ୱେକୁ ଉଦାହରଣ ଭାବେ ନିଆଯାଏ ତାହାଲେ ପୂର୍ବରୁ ଯାତ୍ରା ସମୟ ୧୪ରୁ୧୫ ଘଣ୍ଟା ଥିଲାବେଳେ ଏବେ ତାହା ୮ ଘଣ୍ଟାକୁ ହ୍ରାସ ପାଇଛି । ଭାରତ ସରକାର ଆଗାମୀ ଦିନରେ ମୋଟ୍ ୨୦ ହଜାର କିଲୋମିଟର ରାଜମାର୍ଗ ନିର୍ମାଣ କରିବେ ବୋଲି ଖସଡ଼ା ପ୍ରସ୍ତୁତ କରିଛନ୍ତି । ହେଲେ ଓଡ଼ିଶାରେ ଗୋଟିଏ ବି ରାଜମାର୍ଗ ଏଥିରେ ନ ରହିବା କ୍ଷୋଭର ବିଷୟ ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶରେ ସଡ଼କ ପଥରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ଦିଲ୍ଲୀ, ଚେନ୍ନାଇ, କୋଲକାତା ଓ ମୁମ୍ବାଇକୁ ସଂଯୋଗ ପାଇଁ ସ୍ୱର୍ଣ୍ଣ ଚତୁଃର୍ଭୁଜ ରାଜମାର୍ଗ ଯୋଜନା ପ୍ରଣୟନ କରି ରାଜମାର୍ଗର ରୂପ ବଦଳାଇଥିଲେ । ଏହି ସ୍ୱର୍ଣ୍ଣ ଚତୁର୍ଭୁଜ ରାଜମାର୍ଗରେ ଓଡ଼ିଶା ସାମିଲ ରହିଛି । ହେଲେ କ୍ଷୋଭର ବିଷୟ ହେଉଛି, ଓଡ଼ିଶା ଉପକୂଳ ଦେଇ ଯାଇଥିବା ଏହି ବହୁଚର୍ଚ୍ଚିତ ସ୍ୱର୍ଣ୍ଣ ଚତୁଃର୍ଭୁଜ ରାଜମାର୍ଗ ମଧ୍ୟ ଏକ ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ ନୁହେଁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ କ୍ଷୋଭର ବିଷୟ ହେଉଛି କଥା ହେଉଛି, ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହ ସଂଯୋଗ ପାଇଁ ଓଡ଼ିଶା ସରକାର ନିଜସ୍ୱ ଅର୍ଥରେ ନିର୍ମାଣ କରିଛନ୍ତି ବିଜୁ ଏକ୍ସପ୍ରେସ୍ ୱେ । ରାଜ୍ୟ ପାଇଁ ତାହା ବେଶ୍ ଉପଯୋଗୀ । ପଶ୍ଚିମ ଓଡ଼ିଶାର ବି ଲାଇଫ୍ ଲାଇନ । ମାତ୍ର ଦୁଃଖର କଥା ଏହି ବିଜୁ ଏକ୍ସପ୍ରେସ୍ ୱେ ‘ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ’ ଭାବେ ମାନ୍ୟତା ପାଇନାହିଁ । ସେହିଭଳି ଓଡ଼ିଶା ରାଞ୍ଚି-ବିଜୟୱାଡ଼ା କରିଡର ଓ ଉପକୂଳ ରାଜପଥ ବି ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ ନୁହେଁ ।
ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ ନ ଥିବାରୁ ଓଡ଼ିଶା ବହୁ ପଛରେ ପଡ଼ିବ । ଏହି ଆଶଙ୍କା କରିଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରଫେସର ଚିତ୍ତ ବରାଳ । ସେ କହିଛନ୍ତି ଯେ, କୋଭିଡ୍ ମହାମାରୀ ପରେ ବିଶ୍ୱର ବାଣିଜ୍ୟିକ ସ୍ଥିତି ବଦଳିଥିବାରୁ ବିଶ୍ୱର ଅଧିକାଂଶ ବଡ଼ ବଡ଼ କମ୍ପାନୀ ଚୀନ୍ ଉପରେ ଖପ୍ପା । ସେହି କମ୍ୟୁନିଷ୍ଟ ଦେଶକୁ ଛାଡ଼ି କମ୍ପାନୀମାନେ ଭାରତ ମୁହାଁ ହେବା ସ୍ୱାଭାବିକ । ପରିବହନରେ ସମୟ ସଞ୍ଚୟ କାରଣରୁ ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେକୁ କମ୍ପାନୀମାନେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ତାହା ନଥିଲେ କମ୍ପାନୀମାନେ ଆସିବାକୁ ଅମଙ୍ଗ । ତେଣୁ ଚୀନ୍ରୁ ଭାରତକୁ ଆସୁଥିବା କମ୍ପାନୀଗୁଡ଼ିକ ଓଡ଼ିଶାରେ ସେମାନଙ୍କ ପ୍ଲାଣ୍ଟ ବସାଇଲା ଭଳି ମନେ ହେଉନାହିଁ । ଆକ୍ସେସ୍-କଣ୍ଟ୍ରୋଲ୍ଡ ଏକ୍ସପ୍ରେସ୍ ୱେ ଅଭାବରୁ ଓଡ଼ିଶା ଆହୁରି ପଛରେ ପଡ଼ିଯିବ । ଏଥିପାଇଁ ରାଜ୍ୟ ସରକାର ଏବେଠାରୁ କେନ୍ଦ୍ର ସରକାରଙ୍କ ଠାରେ ଦୃଢ଼ ଦାବି କରିବା ଉଚିତ୍ ବୋଲି ପ୍ରଫେସର ବରାଳ ପରାମର୍ଶ ଦେଇଛନ୍ତି ।