ଆଧାରକାର୍ଡଧାରୀଙ୍କ ପାଇଁ ସୁସମ୍ବାଦ, ଏଣିକି ଅନ୍‌ଲାଇନରେ ଘର ଠିକଣା ଅପ୍‌ଡେଟ୍ ସୁବିଧା

ନୂଆଦିଲ୍ଲୀ: ଏଣିକି ଆଧାରକାର୍ଡଧାରୀମାନେ ଅନ୍‌ଲାଇନରେ ଘର ଠିକଣା ଅପ୍‌ଡେଟ୍ କରିପାରିବେ ବୋଲି ୟୁଆଇଡିଏଆଇ (ୟୁନିକ୍ ଆଇଡେଣ୍ଟିିଫିକେସନ ଅଥରିଟୀ ଅଫ୍ ଇଣ୍ଡିଆ) ପକ୍ଷରୁ ମଙ୍ଗଳବାର ସୂଚନା ପ୍ରଦାନ କରାଯାଇଛି । ଅବଶ୍ୟ ଏଥିପାଇଁ ପରିବାର ମୁଖିଆଙ୍କ ସମ୍ମତି ଆବଶ୍ୟକ ବୋଲି କୁହାଯାଇଛି । ପରିବାର ମୁଖିଆଙ୍କ ସହ ସମ୍ପର୍କର ପ୍ରମାଣ ସ୍ୱରୂପ ସଂପୃକ୍ତ ଆଧାରକାର୍ଡଧାରୀଙ୍କୁ ରାସନ କାର୍ଡ, ମ୍ୟାରେଜ ସାର୍ଟିଫିକେଟ, ପାସପୋର୍ଟ ଭଳି କାଗଜପତ୍ରର ନକଲ ଦାଖଲ କରିବାପରେ ଅପ୍‌ଡେଟ୍ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଆବେଦନ ଫର୍ମରେ ଉଭୟ ଆବେଦନକାରୀ ଏବଂ ପରିବାର ମୁଖିଆଙ୍କ ନାମ ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଉଲ୍ଲେଖ କରିବାକୁ ପଡିବ ବୋଲି କୁହାଯାଇଛି । ଏହି ପ୍ରକ୍ରିୟାରେ ପରିବାର ମୁଖିଆଙ୍କ ଓଟିପି ଆଧାରିତ ସ୍ୱୀକୃତି ଜରୁରୀ ବୋଲି କୁହାଯାଇଛି । ଯଦି ପରିବାର ମୁଖିଆଙ୍କ ସହ ସମ୍ପର୍କ ପ୍ରସଙ୍ଗରେ କାଗଜପତ୍ର ଉପଲବ୍ଧ ହେଉନଥାଏ, ତେବେ ସେଭଳି କ୍ଷେତ୍ରରେ ପ୍ରସ୍ତାବିତ ଫର୍ମାଟରେ ପରିବାର ମୁଖିଆଙ୍କ ଆତ୍ମସ୍ୱୀକାରୋକ୍ତି ଦାଖଲ କରିବାକୁ ପଡିବ ବୋଲି କୁହାଯାଇଛି । ଏହି ନୂତନ ବ୍ୟବସ୍ଥା ଦ୍ୱାରା ପରିବାର ମୁଖିଆଙ୍କ ପତ୍ନୀ, ସନ୍ତାନ ଏବଂ ପିତାମାତାଙ୍କୁ ଘରର ଠିକଣା ଅପ୍‌ଡେଟ୍ କରିବାରେ କୌଣସି ଅସୁବିଧା ହେବ ବୋଲି ଆଶା କରାଯାଉଛି । କାରଣ ରାସନ୍ କାର୍ଡ, ଇଲେକ୍ଟ୍ରିସିଟି ବିଲ୍ ଭଳି ସପୋର୍ଟିଂ କାଗଜପତ୍ରରେ କେବଳ ପରିବାର ମୁଖିଆଙ୍କ ନାମ ଉଲ୍ଲେଖ କରାଯାଇଥାଏ । ବିଭିନ୍ନ କାର୍ଯ୍ୟରେ ଲୋକମାନେ ବିଭିନ୍ନ ସହର ଗସ୍ତ କରୁଥିବାରୁ ଏହି ବ୍ୟବସ୍ଥା ଦ୍ୱାରା ସେମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯେକୌଣସି ବ୍ୟକ୍ତି ପରିବାରର ମୁଖିଆ ହୋଇପାରିବେ ଏବଂ ନୂତନ ବ୍ୟବସ୍ଥା ଜରିଆରେ ନିଜର ଠିକଣାକୁ ଆତ୍ମୀୟସ୍ୱଜନଙ୍କ ସହ ସେୟାର କରିପାରିବେ । ଘର ଠିକଣା ଅପ୍‌ଡେଟ୍ ପାଇଁ ସଂପୃକ୍ତ ଆବେଦନକାରୀଙ୍କୁ ପ୍ରଥମେ ‘ମାଇ ଆଧାର’ ପୋର୍ଟାଲ ପରିଦର୍ଶନ କରିବାକୁ ପଡିବ । ଏହାପରେ ପରିବାର ମୁଖିଆଙ୍କ ଆଧାରକାର୍ଡ ନମ୍ବର ଅପ୍‌ଲୋଡ୍ କଲେ, ଏହି ପ୍ରକ୍ରିୟାକୁ ବୈଧ ବିବେଚନା କରାଯିବ । ତେବେ ମୁଖିଆଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ବଜାୟ ରଖିବାକୁ ସ୍କ୍ରିନ୍‌ରେ ତାଙ୍କର ଅନ୍ୟ କୌଣସି ସୂଚନା ପ୍ରଦର୍ଶନ କରାଯିବ ନାହିଁ । ମୁଖିଆଙ୍କ ଆଧାରକାର୍ଡ ନମ୍ବର ଅପ୍‌ଲୋଡ କରିବାପରେ ଆବେଦନକାରୀଙ୍କୁ ରିଲେସନ୍‌ସିପ୍ (ମୁଖିଆଙ୍କ ସହ) ପ୍ରମାଣପତ୍ର ଦାଖଲ କରିବାକୁୁ ପଡିବ । ଏହି ସେବା ପାଇବାକୁ ୫୦ ଟଙ୍କା ପୈଠ କରିବାକୁ ପଡିବ । ପେମେଣ୍ଟ ସଫଳ ହେଲେ ଆବେଦନକାରୀଙ୍କ ନିକଟକୁ ସର୍ଭିସ ରିକ୍ୱେଷ୍ଟ ନମ୍ବର ପ୍ରଦାନ କରାଯିବା ସହ ପରିବାର ମୁଖିଆଙ୍କ ନିକଟକୁ ଏ ପ୍ରସଙ୍ଗରେ ଏସ୍‌ଏମ୍‌ଏସ୍ ପଠାଯିବ । ଏସ୍‌ଏମ୍‌ଏସ୍ ପାଇବାର ୩୦ ଦିନ ମଧ୍ୟରେ ମୁଖିଆ ‘ମାଇ ଆଧାର’ ପୋର୍ଟାଲରେ ନିଜର ସମ୍ମତି ଜଣାଇବାପରେ ହିଁ ଠିକଣା ଅପ୍‌ଡେଟ୍ କାର୍ଯ୍ୟ ଆରମ୍ଭ ହେବ । ଯଦି ମୁଖିଆ ନିଜର ଅସମ୍ମତି ଜଣାନ୍ତି କିମ୍ବା ୩୦ ଦିନ ମଧ୍ୟରେ ସ୍ୱୀକୃତି ପ୍ରଦାନ ନ କରନ୍ତି, ତେବେ ସଂପୃକ୍ତ ଆବେଦନକୁ ନାକଚ ବିବେଚନା କରାଯିବ ବୋଲି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button