ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ ଉଦ୍‌ଘାଟିତ

ନୂଆଦିଲ୍ଲୀ:ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟକ ଇଂରାଜୀ  ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ସହିତ ଡିଜିଟାଲ ପାଠ୍ୟକ୍ରମ  ପ୍ରଦାନ କରାଯିବ । ଏହାବ୍ୟତୀତ ଏହି କେନ୍ଦ୍ରରୁ ମଧ୍ୟ ସ୍ପଳ୍ପ ଅବଧିର ଗଣମାଧ୍ୟମ ଓ ଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଭାରତୀୟ ଜନ ସଂଚାର ସଂସ୍ଥାନ ବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ମାସ କମ୍ୟୁନିକେସନ (ଆଇଆଇଏମ୍‌ସି) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ଏହା ଭାରତର ଏକ ପ୍ରମୁଖ ଓ ପ୍ରତିଷ୍ଠିତ ସାମ୍ବାଦିକତା ତଥା ଗଣଯୋଗାଯୋଗ ପ୍ରତିଷ୍ଠାନ । ଏହାର ସଦର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିଥିବାବେଳେ ଦେଶର ପାଂଚଟି ସ୍ଥାନରେ ଆଞ୍ଚଳିକ କେନ୍ଦ୍ର ରହିଛି । ଏହି କେନ୍ଦ୍ରଗୁଡିକ ହେଲା-ଓଡିଶାର ଢେଙ୍କାନାଳ, ମିଜୋରାମର ଆଇଜଲ, ଜାମ୍ମୁ କାଶ୍ମୀରର ଜାମ୍ମୁ, କେରଳର କୋଟ୍ଟାୟମ ଏବଂ ମହାରାଷ୍ଟ୍ରର ଅମରାବତୀ । ଦେଶର ବିଭିନ୍ନ ଭାଗ ଓ ଅଞ୍ଚଳର ଆବଶ୍ୟକତା ପୂରଣ କରିବାକୁ ଆଇଆଇଏମ୍‌ସିର ଆଞ୍ଚଳିକ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି । ଏହା ଫଳରେ ଗଣମାଧ୍ୟମ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶର ଅ।।ବଶ୍ୟକତା ପୂରଣ ହୋଇପାରୁଛି । ଏହି କ୍ୟାମ୍ପସକୁ ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, “ଆଇଜଲର ଏହି ନବ ଉଦ୍‌ଘାଟିତ କ୍ୟାମ୍ପସ ସମଗ୍ର ଉତ୍ତର ପୂର୍ବଞ୍ଚଳର ଆବଶ୍ୟକତା ପୂରଣ କରିବ । ଏହା ଦ୍ୱାରା ଏହି ଅଞ୍ଚଳରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏଭଳି ଏକ କ୍ୟାମ୍ପସ ଉଦ୍‌ଘାଟନ କରି ମୁଁ ବିଶେଷ ଆନନ୍ଦିତ ।” ସେ ଆହୁରି କହିଛନ୍ତି ଯେ ଆଇଆଇଏମ୍‌ସି ଭାରତର ଏକ ପ୍ରତିଷ୍ଠିତ ଓ ମର୍ଯ୍ୟାଦାଜନକ ଜନସଂଚାର ଓ ଗଣଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନକାରୀ ସଂସ୍ଥା । ଏହା ପ୍ରଗତିଶୀଳ ଶିକ୍ଷଣ ଏବଂ କାର୍ଯ୍ୟ କରିବାର ଉତ୍ତମ ପରିବେଶ ମାଧ୍ୟମରେ ନୂଆ ବିଚାର ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଗବେଷଣାର ସୁଯୋଗ ଯୋଗାଇ ଗଣମାଧ୍ୟମ ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ନୂଆ ନେତୃତ୍ୱ ଓ ନବସୃଜନକାରୀଙ୍କୁ ସୃଷ୍ଟି କରୁଛି । ଆଇଆଇଏମ୍‌ସିର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ୍ ୨୦୧୧ରୁ ଏକ ଅସ୍ଥାୟୀ ଭବନରୁ କାମ କରିଆସୁଛି । ମିଜୋରାମ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ଭବନ ଯୋଗାଇ ଦିଆଯାଇଥିଲା । ଏହାର ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଥିଲା । ଏଥିପାଇଁ ମୋଟ ୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିନିମନ୍ତେ ଆଠ ଏକର ଜମି ମିଜୋରାମ ବିଶ୍ୱବିଦ୍ୟାଳୟ ଯୋଗାଇ ଦେଇଛି । ନୂଆ ସ୍ଥାୟୀ କ୍ୟାମ୍ପସରେ ଆଇଆଇଏମ୍‌ସିର ସ୍ୱତନ୍ତ୍ର ପ୍ରଶାସନିକ ଓ ଏକାଡେମିକ ବିଲ୍‌ଡିଂ ତିଆରି କରାଯାଇଛି । ଏହାଛଡା ହଷ୍ଟେଲ ଓ କର୍ମଚାରୀଙ୍କ ପାଇଁ କ୍ୱାଟର୍ସ ମଧ୍ୟ ତିଆରି ହୋଇଛି । ଆଇଜଲ ଆଇଆଇଏମ୍‌ସି ଆଞ୍ଚଳିକ କେନ୍ଦ୍ର ତାହାର ପ୍ରତିଷ୍ଠା କାଳରୁ ଇଂରାଜୀ ସାମ୍ବାଦିକତାର ପିଜି ଡିପ୍ଲୋମା ପାଠ୍ୟକ୍ରମ ପ୍ରଚଳନ କରି ଆସୁଛି । ଉତ୍ତର ପୂର୍ବାଞ୍ଚଳ ସମେତ ଦେଶର ବିଭିନ୍ନ ଭାଗରୁ ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରକୁ ପାଠ ପଢିବାକୁ ଆସିଥାନ୍ତି । ଚଳିତବର୍ଷ ଏହି କେନ୍ଦ୍ରର ଜଣେ ଛାତ୍ର ଇଂରାଜୀ ସାମ୍ବାଦିକା ପାଠ୍ୟକ୍ରମରେ ସବୁ ଆଇଆଇଏମ୍‌ସି ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହା ପୂର୍ବରୁ ଆଉ ଜଣେ ଛାତ୍ର ଏହି କେନ୍ଦ୍ରରୁ ମଧ୍ୟ ସର୍ବଭାରତୀୟ ସ୍ତରରେ ଆଇଆଇଏମ୍‌ସିର ଇଂରାଜୀ ସାମ୍ବାଦିକତାର ଟପ୍‌ର ହୋଇଥିଲେ । ଆଇଆଇଏମ୍‌ସିର ଆଇଜଲ କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କୁ ପାଠ ଶେଷ ପରେ ନିଯୁକ୍ତି ଦେବାର କ୍ୟାମ୍ପସ୍ ପ୍ଲେସମେଣ୍ଟ ବ୍ୟବସ୍ଥା ରହିଛି । ପ୍ରତିବର୍ଷ ଦୂରଦର୍ଶନ, ଆକାଶବାଣୀ, ପିଟିଆଇ ସମେତ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ଓ ବେସରକାରୀ ଗଣମାଧ୍ୟମରେ ସେମାନେ ନିଯୁକ୍ତି ପାଉଛନ୍ତି । ନୂଆଦିଲ୍ଲୀର ଭାରତୀୟ ଜନସଂଚାର ସଂସ୍ଥାନ ୧୯୬୫ରେ ଉଦ୍‌ଘାଟିତ ହୋଇଥିଲା । ଦେଶ ଓ ବିଦେଶର ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ  ତାଲିମ ଏବଂ ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବାକୁ ଏହା ପ୍ରତିଷ୍ଠା କରାଯାଇଥିଲା । ଏହା ମଧ୍ୟ ଭାରତୀୟ ସୂଚନା ସେବାର ଅଧିକାରୀମାନଙ୍କର ଏକ ତାଲିମ ପ୍ରତିଷ୍ଠାନ ଭାବେ ସେବେଠାରୁ କାର୍ଯ୍ୟ କରିଆସୁଛି ।

Related Articles

Leave a Reply

Your email address will not be published.

Back to top button