ପରିମଳ କର୍ମଚାରୀଙ୍କ କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ ବୈଠକ ନୁହେଁ, ଏହା ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ ରଖୁଥିବା ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଆମର ପ୍ରତିବଦ୍ଧତା। ସେମାନଙ୍କୁ ନ୍ୟାୟ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା ହେଉଛି ଆମର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଫେଇ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଏହି ଦୁଇ ଦିନିଆ କର୍ମଶାଳାର ବିଷୟବସ୍ତୁ ହେଉଛି  ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ (Transforming Core Sanitation Work- Safety, Dignity & Inclusion)। ଭୁବନେଶ୍ୱର ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ  କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେଗୁଡିକ ହେଲା ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ପ୍ରମୁଖ ପରିମଳ କର୍ମଚାରୀ (ସ୍ୱରେଜ ଓ ସେଫ୍‌ଟିକ୍ ଟାଙ୍କି ସଫେଇ କର୍ମଚାରୀ) ଙ୍କ  ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା, କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ବାସଗୃହ ପ୍ରଦାନ ଏବଂ ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ IEC Activity କରାଯିବ। ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ୭ଟି ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସରକାରୀ ଅଧିକାରୀ ଓ ସଫେଇ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆମ ଜଗନ୍ନାଥ ସଂସ୍କୃତିରେ ସ୍ୱଚ୍ଛତା ବିଷୟରେ ମଧ୍ୟ ଦର୍ଶାଯାଇଛି। ରଥଯାତ୍ରା ସମୟରେ ଛେରାପହଁରା ଏହାର ଏକ ପ୍ରମୁଖ ଉଦାହରଣ। ଏଥିରେ ସଫେଇ କାର୍ଯ୍ୟର ମର୍ଯ୍ୟାଦା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେ କହିଥିଲେ ଓଡିଶାର ଗରିମା ଯୋଜନା ପରିମଳ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟଦା ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ଗରିମା ଯୋଜନା ଜାତୀୟ ପରିମଳ ଲକ୍ଷ୍ୟକୁ ପୂରଣ କରିବା ସହିତ ଅନେକ ରାଜ୍ୟ ପାଇଁ ପ୍ରେରଣାଦାୟୀ ହୋଇଛି।  ସେ ପୁଣି କହିଥିଲେ ଯେ, ପରିମଳ କର୍ମଚାରୀ ମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନାମ ସର୍ବାଗ୍ରେ ରହିବ। ମୋଦୀଜୀ ଦେଶର ଆର୍ଥିକ ବିକାଶ ସହିତ ପରିମଳ ପରି ଏକ ନଜର ଅନ୍ଦାଜ ବିଷୟ ଉପରେ ମଧ୍ୟ ଗୁରୁତ୍ୱ ଦେଇ ୨୦୧୪ ଅଗଷ୍ଟ ୧୫ ତାରିଖରେ ସ୍ୱଚ୍ଛ ଭାରତ ଆନ୍ଦୋଳନ ଜରିଆରେ ଘରେ ଘରେ ଶୌଚାଳୟ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ। ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଥିଲା ଯେତେଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ, ପ୍ରତ୍ୟେକ ସହରରେ ଓ ପ୍ରତ୍ୟେକ ଗାଁରେ ପରିମଳ ବ୍ୟବସ୍ଥା ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶର ସାମାଜିକ ଓ ଅର୍ଥନୀତି ଅଭିବୃଦ୍ଧି ଅସମ୍ଭବ। ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଗରିମା ଯୋଜନା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପରିମଳ କର୍ମୀଙ୍କୁ ଚିହ୍ନଟକରଣ ଓ ପରିଚୟ ପ୍ରଦାନ, ସୁରକ୍ଷା ଉପକରଣ ପ୍ରଦାନ, ଦକ୍ଷତା ବିକାଶ, ଆପତକାଳୀନ ପରିମଳ ସେବା ୟୁନିଟ ସ୍ଥାପନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି। ରାଜ୍ୟର ୧୧୫ଟି ସହରର ୧୦ ହଜାର ରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଓ ଅତିକୁଶଳୀ କର୍ମଚାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ଆଜିର ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହି ମଞ୍ଚରୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରିମଳ କର୍ମୀମାନେ ପରସ୍ପର ମଧ୍ୟରେ ଭାବ ବିନିମୟ ଓ ଅନୁଭୂତିରୁ ବହୁତ କଥା ଶିଖି ପାରିବେ। ସମସ୍ତଙ୍କ ଅନୁଭବ ଓ ଶ୍ରେଷ୍ଠ ଚିନ୍ତାଧାରା ନେଇ ଆମେ ଆଗକୁ ବଢିବା ଓ ଏକ ସମାବେଶୀ ଓ ବିକଶିତ ଭାରତ ନିର୍ମାଣରେ ନିଜି ନିଜର ଯୋଗଦାନ ରଖିବା ବୋଲି ସେ କହିଥିଲେ।
ଏହି ଅବସରରେ କର୍ମଶାଳା ପରିସରରେ ଆୟୋଜିତ ପରିମଳ କାର୍ଯ୍ୟ ସମ୍ପର୍କିତ ଆଧୁନିକ ଉପକରଣ ଏବଂ ସୁରକ୍ଷା ଉପକରଣର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ପରିମଳ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button