ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାର ଗୁଡିକର ପୁନର୍ବିନ୍ୟାସ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଗୁଡିକର ପୁନର୍ବିନ୍ୟାସ (Restructuring) କରାଯାଇଛି। ଆଜି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏହି ନୂତନ ପୁରସ୍କାର ଆଜିଠାରୁ ହିଁ ଲାଗୁ ହୋଇଛି। ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ପୁରସ୍କାର ଯୁଗ୍ମ ଭାବେ ପାଇଛନ୍ତି କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’। ଉଭୟଙ୍କୁ ମିଳିତ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। କଳାହାଣ୍ଡି ନର୍ଥ ଫରେଷ୍ଟ ଡିଭିଜନର ତୁଲଙ୍ଗପଦର ବନ ସୁରକ୍ଷା ସମିତି ବଜାରଗଡ ଜଙ୍ଗଲର ୫୦ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରି ଏହି ଅବକ୍ଷୟ ପ୍ରାପ୍ତ ଜଙ୍ଗଲର ପୁନରୁଧାର କରିପାରିଛନ୍ତି। ଏହି ସମିତିର ଉଦ୍ୟମ ଯୋଗୁଁ ଗତ ତିନି ବର୍ଷରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ। ସେହିପରି କରଞ୍ଜିଆ ଫରେଷ୍ଟ ଡିଭିଜନର ପାହଡପୁର ବନ ସୁରକ୍ଷା ସମିତି ବୁଢିପାଟ ଜଙ୍ଗଲର ୧୫୯ ହେକ୍ଟର ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରି ଜଙ୍ଗଲର ସୁରକ୍ଷା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ। ଏହା ସହିତ ମନୁଷ୍ୟ-ହାତୀ ସଂଘର୍ଷ ଘଟଣା ମଧ୍ୟ ନିୟନ୍ତ୍ରଣକୁ ଆସିପାରିଛି। ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଏକ ସୁନ୍ଦର ଓ ସବୁଜ ଓଡିଶା ଗଠନ କରିବା ପାଇଁ କହିଲେ ଯେ, ୨୦୩୬ ସୁଦ୍ଧା ଭିଜନ ଓଡିଶା କାର୍ଯ୍ୟକ୍ରମରେ ‘ସବୁଜ ଓଡିଶା’ ଗଠନ ଏକ ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ସମ୍ପ୍ରଦାୟ ନେତୃତ୍ୱାଧୀନ ଜଙ୍ଗଲ ଉଦ୍ୟୋଗ ମାଧ୍ୟମରେ ୧୦ ଲକ୍ଷ ସବୁଜ ଜୀବିକା ସୃଷ୍ଟି କରାଯିବ ଏବଂ ଓଡିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସବୁଜ ଓଡିଶା ଯୋଜନାରେ ଆଦିବାସୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଶାଳ, ତେନ୍ତୁଳି, ବାଁଉଶ ଓ ଔଷଧୀୟ ଉଦ୍ଭିଦ ପାଇଁ ୧୦୦ ରୁ ଅଧିକ ପ୍ରକ୍ରିୟା କରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଏହାଦ୍ୱାରା ୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଲେ ଯେ, ୨୦୨୫ ବନ ମହୋତ୍ସବର ବିଷୟବସ୍ତୁ ହେଉଛି “ଏକ ପେଡ଼୍ ମା କେ ନାମ୍” ଯାହାର ଅର୍ଥ “ମା’ଙ୍କ ନାମରେ ଗୋଟିଏ ଗଛ”। ଏହି ବିଷୟବସ୍ତୁ ବୃକ୍ଷରୋପଣ ପ୍ରୟାସକୁ ସେମାନଙ୍କର ମା’ଙ୍କ ପ୍ରତି ଉତ୍ସର୍ଗ କରିବାକୁ ଉତ୍ସାହିତ କରୁଛି। ପରିବେଶ, ଅର୍ଥନୀତି ଏବଂ ମାନବ କଲ୍ୟାଣ ପାଇଁ ଜଙ୍ଗଲ ବହୁମୁଖୀ ହିତ ସାଧନ କରେ। ଜଳବାୟୁ ନିୟନ୍ତ୍ରଣ, ଜଳ ବିଶୋଧନ ଏବଂ ଜୈବ ବିବିଧତା ସଂରକ୍ଷଣରେ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଜୀବିକା ନିର୍ବାହରେ ସହାୟକ ହେବା ସଙ୍ଗେ ସଙ୍ଗେ କାଠ ଏବଂ ଖାଦ୍ୟ ଭଳି ସମ୍ବଳ ପ୍ରଦାନ କରିଥାଏ । ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ସୁରେଶ ପନ୍ତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ସୀତାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।