ପିଏମ୍ ଜନମନ୍ ଯୋଜନା: ଜିଲ୍ଲାପାଳ ସ୍ଥିତି,ଅଗ୍ରଗତି ଉପରେ ରିପୋର୍ଟ ଦେବେ

ଭୁବନେଶ୍ୱର: ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପିଏମ୍ ଜନମନ ଯୋଜନାର ସ୍ଥିତି, ଅଗ୍ରଗତି ଉପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉକ୍ତ ଯୋଜନାର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଜିଲ୍ଲାପାଳମାନେ ଓ ଜିଲ୍ଲା ସ୍ତରରେ କାର୍ଯ୍ୟକରୁଥିବା ବିଭାଗୀୟ ଅଧିକାରୀମାନେ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଗ୍ରାମ ଓ ଜନବସତିକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବେ। ପିଏମ୍ ଜନମନ୍ ଯୋଜନାରେ ଓଡ଼ିଶାର ୧୪ଟି ଜିଲ୍ଲାର ୫୫ ବ୍ଲକ, ୧୭୫୧ ଗ୍ରାମ, ଜନବସତି, ୨୮୯ ଗ୍ରାମପଞ୍ଚାୟତ ଏବଂ ୨ ପୌର ପ୍ରଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିବା ବେଳେ ସମୁଦାୟ ୬୮,୬୦୫ଟି ପରିବାରର ୩,୧୪,୫୧୪ ଲୋକ ଏହି ଯୋଜନାର ସୁଫଳ ପାଇବେ। ୨୦୨୬ ବର୍ଷ ଶେଷ ସୁଦ୍ଧା ୪୫,୪୦୮ଟି ଘର, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରୁ ପ୍ରାୟ ୨୧୦ କିଲୋମିଟରର ପକ୍କା ସଡ଼କ, ୧୬୪୬ ଟି ଗ୍ରାମକୁ ଟ୍ୟାପ୍ ଯୋଗେ ଜଳଯୋଗାଣ, ୩୫୧ଟି ଅଞ୍ଚଳରେ ମୋବାଇଲ୍ ଟାୱାର୍ ସଂଯୋଗୀକରଣ, ୪୦୫ଟି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ନିର୍ମାଣ, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୪ଟି ଜିଲ୍ଲାର ଯେଉଁ ଜନବସତିର ୫ କିଲୋମିଟର ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ, ସେହିପରି ସମସ୍ତ ଅଞ୍ଚଳରେ ମୋବାଇଲ୍ ମେଡିକାଲ୍ ୟୁନିଟ୍‌ର ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହିପରି ସମସ୍ତ ୧,୦୫୫ଟି ଜନବସତିକୁ ମୋବାଇଲ୍ ମେଡିକାଲ୍ ୟୁନିଟ୍ ଯୋଗାଇ ଦିଆଯାଇଛି। ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ ହୋଇଛି। ବିଶେଷତଃ ପିଭିଟିଜି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ନିମନ୍ତେ ଜଳଯୋଗାଣ, ବିଦ୍ୟୁତ ଯୋଗାଣ, ମୋବାଇଲ୍ କନେକ୍ସନ୍ ଆଦି କାର୍ଯ୍ୟଗୁଡ଼ିକୁ ଯଥାଶୀଘ୍ର ସମାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯୋଗାଯୋଗ ହୋଇପାରୁନଥିବା କିମ୍ବା ଦୁର୍ଗମ ଅଞ୍ଚଳଗୁଡ଼ିକୁ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସଚିବମାନେ ପରିଦର୍ଶନରେ ଯାଇ ସେଠାକାର କାମ କିଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ ହେବ ସେ ବିଷୟରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button