ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରରେ ଏମର୍‌ଜେନ୍ସି ୟୁନିଟ୍‌ର ଶିଳାନ୍ୟାସ: ଓଡ଼ିଶାରେ ୩ ସମନ୍ୱିତ ଆୟୁଷ ଚିକିତ୍ସାଳୟ ଖୁବ୍‌ଶୀଘ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ କରିଚାଲିଛନ୍ତି। ସାରା ଭାରତର ଆୟୁଷ ଅର୍ଥନୀତିର ପ୍ରାୟ ୧୫% ହୋମିଓପାଥିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପରିଚାଳିତ। ରାଜ୍ୟରେ ବର୍ତ୍ତମାନ ଏହି ମହାବିଦ୍ୟାଳୟକୁ ମିଶାଇ ୪ଟି ସରକାରୀ ହୋମିଓପାଥିକ୍ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଛି। ଏହା ସହିତ ୫୬୨ସରକାରୀ ହୋମିଓପାଥିକ୍ ଡାକ୍ତରଖାନା ମଧ୍ୟ ଅଛି। ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱର ଠାରେ ତିନୋଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବୁଧବାର ଭୁବନେଶ୍ୱରସ୍ଥିତ ଡ. ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ଏକ ନୂତନ ଏମର୍‌ଜେନ୍ସି ୟୁନିଟ୍‌ର ଶିଳାନ୍ୟାସ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶ୍ରୀ ମାଝୀ ଅନୁଷ୍ଠାନର ଏକ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ହୋମିଓପାଥିକ୍ ଶିକ୍ଷାର ପ୍ରସାର ଓ ହୋମିଓପାଥିକ୍ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡ. ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ଅବଦାନ ଅତୁଳନୀୟ। ଏହି କଲେଜ୍ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜ୍‌। ହୋମିଓପାଥିକ୍ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହା କେବଳ ରାଜ୍ୟ କାହିଁକି, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଦୀର୍ଘ ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର କରିଚାଲିଛି ଏବଂ ଅନେକ ସୁନାମଧନ୍ୟ ଡାକ୍ତର ସୃଷ୍ଟି କରିଛି। ଏହି ମହାବିଦ୍ୟାଳୟର ଏକ ବିଶେଷତ୍ୱ ହେଉଛି ଯେ ଏହା ଏକ ହୋମିଓପାଥିକ ଔଷଧ ତିଆରି କାରଖାନା ପରିଚାଳନା କରୁଛି। ଏଥିରୁ ପ୍ରସ୍ତୁତି ଔଷଧ ବିଭିନ୍ନ ହସ୍ପିଟାଲ୍‌କୁ ଯୋଗାଇ ଦିଆଯାଉଛି। ଏହା ନିଶ୍ଚିତ ଭାବେ ଖୁବ୍ ପ୍ରଶଂସାଯୋଗ୍ୟ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୨୩ ହଜାର ୬୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ରାଜ୍ୟ ବଜେଟ୍‌ର ୮%ରୁ ଅଧିକ। ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ ଯେ ଆମେ ସ୍ୱାସ୍ଥ୍ୟକ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛୁ। ଆମ ସରକାର ଆସିବା ପରେ ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଦ୍ୱାରା ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦେଶର ୨୯ ହଜାର ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ପାଇପାରୁଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥିକ୍ ଚିକିତ୍ସା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ଡ. ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ଛାତ୍ରଛାତ୍ରୀମାନେ ଏହି ପ୍ରାମାଣିକ ଚିକିତ୍ସା ପଦ୍ଧତିକୁ ଆହୁରି ଜନାଭିମୁଖୀ କରିଛନ୍ତି। ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଡବଲ୍ ଇଞ୍ଜିନ୍ ସରକାର ଜୋରଦାର୍ ଉଦ୍ୟମ ଆରମ୍ଭ କରିଛନ୍ତି। ତେଣୁ, ଏ କ୍ଷେତ୍ରରେ ଆମେ ଆମର ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିବୁ ବୋଲି ମୋର ଦୃଢ଼ ବିଶ୍ୱାସ। ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱଥି ଏସ୍‌, ପଦ୍ମଶ୍ରୀ ଡ. ଅଶୋକ ମହାପାତ୍ର, ମୁଖ୍ୟବକ୍ତା, ଡ. ଏଲ୍‌.କେ. ନନ୍ଦ ମଞ୍ଚାସୀନ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୁଷ୍ପାଞ୍ଜଳି ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଲିପକ ମହାପାତ୍ର ବିବରଣୀ ପାଠ କରିଥିଲେ ଏବଂ ଛାତ୍ର ସଂସଦର ସାଧାରଣ ସମ୍ପାଦକ ସୌମ୍ୟ ଦର୍ଶନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button