ଆଇଏମ୍ଏମ୍ଟିରେ ରୋଜଗାର ମେଳା: ୨୫୮ ଯୁବକ, ଯୁବତୀଙ୍କୁ ମିଳିଲା ନିଯୁକ୍ତି ପତ୍ର

ଭୁବନେଶ୍ୱର: ପୂର୍ବ ସରକାରଙ୍କ ତୁଳନାରେ ବର୍ତ୍ତମାନର ସରକାର ଦେଢ଼ଗୁଣ ଅଧିକ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ ନୀତିରେ ପାରଦର୍ଶିତା ଆସିଛି। ସୁଶାସନର ଅନେକ ନୂଆ ମାନଦଣ୍ଡ ପ୍ରତିଷ୍ଠା ହୋଇଛି। ବିଗତ ୧୦ ବର୍ଷ ମଧ୍ୟରେ ଦେଶର ଅନେକ ପ୍ରଗତି ହୋଇଛି। ଆଜି ଯେଉଁସବୁ ନିଷ୍ପତ୍ତି ନିଆଯାଉଛି ତା’ର ପ୍ରଭାବ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଅନୁଭୂତ ହେବ। ଯୁବବର୍ଗ ଓ ମହିଳାଙ୍କ ସ୍ୱପ୍ନ ଶିଖର ଛୁଇଁଛି ଓ ସେମାନଙ୍କର ଆକାଂକ୍ଷା ପୂରଣ ହେଉଛି। ୨୫୮ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ହସ୍ତାନ୍ତର କରି ଏଭଳି ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର କର୍ପୋରେଟ୍ ବ୍ୟାପାର, ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ସରକାରୀ ଯୋଜନାର ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ଏହିକ୍ରମରେ ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମ୍ଏମ୍ଟି) ପରିସରରେ ଏକ ରୋଜଗାର ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର କର୍ପୋରେଟ୍ ବ୍ୟାପାର, ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମାଲହୋତ୍ରା ଉଦ୍ବୋଧନ ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ୨୦୨୨ଠାରୁ ଆରମ୍ଭ ହୋଇଥିବା ରୋଜଗାର ମେଳାଗୁଡ଼ିକରେ ୧୦ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଇ ସାରିଛି। ଆଜି ପଞ୍ଚଦଶ ରୋଜଗାର ମେଳା ଆୟୋଜନ କରାଯାଉଛି। ସେ ଆହୁରି କହିଥିଲେ, ମୋଦୀଜୀଙ୍କ ସୁଶାସନ ଏବଂ ଦୂରଦୃଷ୍ଟି କାରଣରୁ ଯୁବବର୍ଗ ଓ ମହିଳାଙ୍କ ସ୍ୱପ୍ନ ଶିଖର ଛୁଇଁଛି ଏବଂ ସେମାନଙ୍କର ଆକାଂକ୍ଷା ପୂରଣ ହେଉଛି। ଦେଶରେ ଆସିଥିବା ବ୍ୟାପକ ପରିବର୍ତ୍ତନ କାରଣରୁ ଦେଶର ନାଗରିକଙ୍କୁ ସବୁପ୍ରକାର ମୌଳିକ ସୁବିଧା ମିଳିପାରୁଛି। ଗାଁ ଲୋକମାନେ ମଧ୍ୟ ଆଜି ଡିଜିଟାଲ୍ ସେବାର ଲାଭ ପାଇପାରୁଛନ୍ତି। ଦେଶର ଯୁବବର୍ଗ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଲହୋତ୍ରା ଆହୁରି କହିଥିଲେ, ସରକାରୀ କର୍ମଚାରୀମାନଙ୍କୁ କର୍ମଯୋଗୀରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ କର୍ମଯୋଗୀ ଏବଂ ଆଇ-ଗଟ୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲ୍ରେ ୧୪ଶହରୁ ଅଧିକ ପାଠ୍ୟକ୍ରମ ରହିଛି। ଏସବୁ ପାଠ୍ୟକ୍ରମ ମାଧ୍ୟମରେ ସରକାରୀ କର୍ମଚାରୀମାନେ ସ୍ୱତନ୍ତ୍ର ସହାୟତା ଲାଭ କରିବା ସହିତ ନିଜ ଦକ୍ଷତାରେ ସୁଧାର ଆଣିପାରୁଛନ୍ତି। ଏବେ ସୁଦ୍ଧା ୧କୋଟିରୁ ଅଧିକ କର୍ମଚାରୀ ଏସବୁ ପାଠ୍ୟକ୍ରମର ଲାଭ ଉଠାଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସିଜିଏସ୍ଟି ଏବଂ ସୀମାଶୁଳ୍କ, ଭୁବନେଶ୍ୱର ପ୍ରାନ୍ତ ମୁଖ୍ୟ ଆୟୁକ୍ତ ଏମ୍.ଏସ୍ ରେଡ୍ଡୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର୍ ଶ୍ରୀପଦ କର୍ମାଲକର, ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମୁଖ୍ୟ ଡାକପାଳ ନିର୍ମଳଜିତ ସିଂଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।