ରାଜ୍ୟସ୍ତରୀୟ ପୋଷଣ ପକ୍ଷ-୨୦୨୫: ପୁଷ୍ଟି ନିରାପତ୍ତା ପାଇଁ ସାମୂହିକ ସଚେତନତା ଜରୁରୀ

ଭୁବନେଶ୍ୱର: ଏକ ସୁସ୍ଥ ଶିଶୁ ହିଁ ଉତ୍ତମ ଛାତ୍ର ହୋଇପାରିବ। ଭବିଷ୍ୟତରେ ଏକ ଆଦର୍ଶ ନାଗରିକ ହୋଇପାରିବ। ସୁସ୍ଥ ଶିଶୁ, ସୁସ୍ଥ ଭବିଷ୍ୟତର ପ୍ରତୀକ। ପୋଷଣ ପକ୍ଷ ପାଳନ ସମୟରେ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ମଧ୍ୟରେ ପୋଷଣର ଗୁରୁତ୍ୱ ଉପରେ ସଚେତନତା ବୃଦ୍ଧିକରିବା ପାଇଁ ପ୍ରୟାସ କରାଯାଉଛି। ଶୈଶବରେ ଉପଯୁକ୍ତ ପୋଷଣ ପାଇଲେ ଶିଶୁର ସ୍ୱାସ୍ଥ୍ୟ ଉନ୍ନତହେବା ସହିତ ତା’ର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା। ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର ସଫଳତା ପାଇଁ ସାମୂହିକ ସଚେତନତା ଖୁବ୍ ଜରୁରୀ। ଶନିବାର ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସ୍ଥାନୀୟ ଲକ୍ଷ୍ମୀସାଗର-ଝାରପଡ଼ାସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ୍ ଉଦ୍ଘାଟନ କରିବା ସହିତ ଏକ ଲାଇବ୍ରେରୀ ହଲ୍ ଓ ଅଙ୍ଗନବାଡ଼ି ଟ୍ରେନିଂ ସେଣ୍ଟର୍ର ଶୁଭ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଷଣ ଉପରେ ଆମର ନୂଆ ସରକାର ଅଧିକ ଫୋକସ୍ ରଖି କାମକରିବା ଆରମ୍ଭ କରିଛନ୍ତି। ୧୦୦ କୋଟି ଟଙ୍କା ଅନୁଦାନରେ ‘ଓଡ଼ିଶା ପୁଷ୍ଟି ମିଶନ’ ପ୍ରତିଷ୍ଠା କରାଯିବ। ପୋଷଣ ଅଭିଯାନରେ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଚଳିତବର୍ଷ ବଜେଟ୍ରେ ୨୮୪ କୋଟି ଟଙ୍କା ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଦୁଇଟି କନ୍ୟା ସନ୍ତାନ ପାଇଁ ସହାୟତା ରାଶିକୁ ୧୦ହଜାର ଟଙ୍କାରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହିସବୁ ପଦକ୍ଷେପ ଓଡ଼ିଶାର ପିଲାମାନଙ୍କର ପୋଷଣରେ ଉନ୍ନତି ଆଣିବ। ଯେହେତୁ ଏକ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ, ତେଣୁ ଆମ ଓଡ଼ିଶାକୁ ସୁ-ପୋଷିତ କରିବା ଆମର ପ୍ରାଥମିକତା। ଅଙ୍ଗନବାଡ଼ି କର୍ମୀମାନେ ପିଲାମାନଙ୍କ ପୋଷଣ ଦାୟିତ୍ୱ ସହିତ ସେମାନଙ୍କୁ ପ୍ରାରମ୍ଭିକ ମୌଳିକ ଶିକ୍ଷା ବି ଦେଉଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଦେଶରୁ କୁପୋଷଣ ଦୂରକରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦୧୮ ମସିହାରୁ ପିଏମ୍ ପୋଷଣ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଗର୍ଭବତୀ ଓ ପ୍ରସୂତି ମହିଳା, କିଶୋରୀ ଓ ୬ ବର୍ଷରୁ କମ୍ ବର୍ଷର ଶିଶୁମାନଙ୍କ ପୋଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ପୋଷଣ ପକ୍ଷ ସମୟରେ ଜନ ଆନ୍ଦୋଳନର ସମୂହ ସଚେତନତା କେବଳ ଏହି ବିଭାଗରେ ନୁହେଁ, ଏହାର ସଫଳ ରୂପାୟନ ପାଇଁ ସମସ୍ତ ସହଭାଗୀ ବିଭାଗ, ଯେପରିକି ପଞ୍ଚାୟତିରାଜ ଓ ପାନୀୟଜଳ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମିଶନଶକ୍ତି ପ୍ରମୁଖ ବିଭାଗର ସହଯୋଗ ଓ ସମନ୍ୱୟ ଅଧିକ ହେବା ଜରୁରୀ। ସମସ୍ତ ଯୋଜନାର ସଫଳତା ପାଇଁ ‘ସମସ୍ତଙ୍କ ସହଯୋଗ’ ବହୁତ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କାରଣ ପିଲାମାନଙ୍କ ପୁଷ୍ଟିହୀନତା ଦୂର କରିବା ପାଇଁ ପୋଷଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନର ଅଂଶସ୍ୱରୂପ ପ୍ରତିବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ୧୫ ଦିନ ଧରି ପୋଷଣ ପକ୍ଷ ପାଳନ କରାଯାଏ। ଚଳିତବର୍ଷ ଅଙ୍ଗନବାଡ଼ିଠୁ ଆରମ୍ଭକରି ଜାତୀୟସ୍ତର ପର୍ଯ୍ୟନ୍ତ ଏପ୍ରିଲ ୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ କରାଯାଉଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ନିଜେ ନିଜର ପୋଷକତତ୍ତ୍ୱକୁ ଠିକ୍ ରଖିବା ସହିତ ସମାଜ ପାଖରେ ପହଞ୍ଚାଇ ପାରିଲେ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଆମେ ଗଠନ କରିପାରିବା। ସେ କହିଥିଲେ, ଓଡ଼ିଶା ଆଜି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସମ୍ପନ୍ନ ରାଜ୍ୟରେ ପରିଣତ ହୋଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସୂଚକାଙ୍କରେ ଉନ୍ନତି ନଆସିଲେ ଦାରିଦ୍ର୍ୟ ହ୍ରାସ ହେବ ନାହିଁ। ୨୦୩୬ ସମୃଦ୍ଧ ଓଡ଼ିଶା ଗଠନ ବେଳକୁ ଶୂନ ପ୍ରତିଶତ କୁପୋଷଣ ଆମର ଲକ୍ଷ୍ୟରହିଛି। ପୋଷଣ ପକ୍ଷ ପାଳନ ଅବସରରେ ଏ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁରୀ, କେନ୍ଦ୍ରାପଡ଼ା ଓ ଭଦ୍ରକଙ୍କୁ ମୁଖ୍ୟମନ୍ତ୍ରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରିଥିଲେ ଏବଂ କେନ୍ଦୁଝର ଓ ବଲାଙ୍ଗୀରର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ କୋରାପୁଟ ଓ ମାଲକାନଗିରିର ସିଡିପିଓ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ। ଆଇସିଡିଏସ୍ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାସ୍ତରରେ ଅଙ୍ଗନବାଡ଼ି କର୍ମୀ ଓ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ ରହିଥିଲେ।