ଭାରତୀୟ ଷ୍ଟକ୍ ମାର୍କେଟ୍‌ରେ କମ୍ପନ, ସେନ୍‌ସେକ୍ସ ୨,୨୨୭ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ବାଣିଜ୍ୟ ଯୁଦ୍ଧର ଆର୍ଥିକ ପ୍ରଭାବ ଭାରତୀୟ ଅର୍ଥନୀତିକୁ ଦୋହଲାଇ ଦେଇଛି। ସୋମବାର ଭାରତୀୟ ଷ୍ଟକ୍ ମାର୍କେଟ୍ ଏକପ୍ରକାର ଭୁଶୁଡି ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ରିପୋର୍ଟ ଅନୁସାରେ ସୋମବାର ସେନ୍‌ସେକ୍ସ ପ୍ରାୟ ୩୦୦୦ ପଏଣ୍ଟ ଅର୍ଥାତ୍ ପ୍ରାୟ ୪.୭୦% ହ୍ରାସ ପାଇଥିବା ବେଳେ ନିଫ୍ଟି ପ୍ରାୟ ୧୦୦୦ ପଏଣ୍ଟ ହ୍ରାସ ପାଇଛି। ଏହାଫଳରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବିଏସ୍‌ଇ ତାଲିକାଭୁକ୍ତ କମ୍ପାନୀ ତଥା ନିବେଶକମାନେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସୋମବାର ସ୍ମଲ୍‌-କ୍ୟାପ୍ ଇଣ୍ଡେକ୍ସ ୪.୧୩% ଏବଂ ମିଡ୍‌-କ୍ୟାପ୍ ଇଣ୍ଡେକ୍ସ ୩.୪୬% ହ୍ରାସ ପାଇଥିବା ରିପୋର୍ଟ ହୋଇଛି। ଅନ୍ୟପକ୍ଷେ ସୋମବାର ସକାଳେ ଟଙ୍କା ମଧ୍ୟ ନିମ୍ନଗାମୀ ହୋଇ ଆମେରିକୀୟ ଡଲାର ତୁଳନାରେ ୩୦ ପଇସା ହ୍ରାସ ପାଇ ୮୫.୭୪ରେ ପହଞ୍ଚିଛି। ସୋମବାର କାରବାର ସମୟରେ ଭାରତୀୟ ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ଏବଂ ନିଫ୍ଟି ୫୦ ହ୍ରାସ ପାଇଥିଲା। ଉଭୟ ଷ୍ଟକ୍ ବଜାର ସୂଚକାଙ୍କ ଆଂଶିକ ସୁଧାର ଆସିବା ପୂର୍ବରୁ କିଛି ସମୟ ମଧ୍ୟରେ ହିଁ ୫% ହ୍ରାସ ପାଇଛି। ବିଏସଇ ସେନସେକ୍ସ ୨,୨୨୭ ପଏଣ୍ଟ ଅର୍ଥାତ୍ ୨.୯୫% ହ୍ରାସ ପାଇ ୭୩,୧୩୭.୯୦ରେ ବନ୍ଦ ହୋଇଛି। ସେହିପରି ନିଫ୍ଟି-୫୦ ୭୪୩ ପଏଣ୍ଟ ଅର୍ଥାତ୍ ୩.୨୪% ହ୍ରାସ ପାଇ ୨୨,୧୬୧.୬୦ରେ ବନ୍ଦ ହୋଇଛି। ଏହା ଗତ ୧୦ମାସ ମଧ୍ୟରେ ଗୋଟିଏ ଦିନରେ ସବୁଠାରୁ ବଡ଼ ହ୍ରାସ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ଏବଂ ଚୀନର ପ୍ରତିଶୋଧମୂଳକ ପଦକ୍ଷେପ ବିଶ୍ୱ ବଜାରକୁ ପ୍ରଭାବିତ କରିଥିବା ବେଳେ ନିବେଶକଙ୍କ ମଧ୍ୟରେ ଭୟର ବାତାବରଣ ହିଁ ଏପ୍ରକାର ପରିସ୍ଥିତି ଉତ୍ପନ୍ନ କରିଛି। ତେବେ ଭାରତୀୟ ଷ୍ଟକ୍ ମାର୍କେଟ୍‌ରେ ଏପ୍ରକାର ହ୍ରାସ ଯୋଗୁ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଜନିତ ଭୟ ସଞ୍ଚାର ହୋଇଛି। ଦଲାଲ୍ ଷ୍ଟ୍ରିଟ୍‌ରେ ଏହା ଏକ ବ୍ଲଡ୍‌ବାଥ୍ ଜନିତ ପରିସ୍ଥିତି ସୃଷ୍ଟି କରିଛି କାରଣ ନିଫ୍ଟି ୫୦ ଏବଂ ସେନସେକ୍ସ ପ୍ରାୟ ୫% ପର୍ଯ୍ୟନ୍ତ ହ୍ରାସ ପାଇଛି। ବିଶ୍ୱସ୍ତରୀୟ ମାନ୍ଦାବସ୍ଥାଜନିତ ଚାପ ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟ୍ ବିଗତ ୧୦ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିବା ନିବେଶକମାନଙ୍କୁ ଦେବାଳିଆ ପରିସ୍ଥିତିକୁ ନେଇଆସିଛି। ସ୍ମଲ-କ୍ୟାପ୍ ଷ୍ଟକ୍ ୧୦% ଏବଂ ମିଡ-କ୍ୟାପ୍ ଷ୍ଟକ୍ ୭.୩% ହ୍ରାସ ପାଇଛି। ସ୍ମଲ କ୍ୟାପ୍ ଏବଂ ମିଡ୍ କ୍ୟାପ୍ ସେଗମେଣ୍ଟରେ କ୍ଷତି ବିଶେଷ ଭାବରେ ଗୁରୁତର ରହିଛି। ଟେକ୍ ଏବଂ ଧାତୁ ଷ୍ଟକରେ ପ୍ରବଳ ବିକ୍ରୟ ଦେଖାଯାଇଥିଲା। ନିଫ୍ଟି ଆଇଟି ସୂଚକାଙ୍କ ୭% ଏବଂ ନିଫ୍ଟି ମେଟାଲ୍ ସୂଚକାଙ୍କ ୮% ଯାଏ ହ୍ରାସପାଇଛି। ଅଟୋ, ରିୟଲ ଇଷ୍ଟେଟ୍ ଏବଂ ତୈଳ ଏବଂ ଗ୍ୟାସ୍ ସୂଚକାଙ୍କ ୫%ରୁ ଅଧିକ ହ୍ରାସ ପାଇଛି। ପ୍ରକାଶ, ବ୍ୟବସାୟିକ କାରବାରର ଶେଷ ଦିନ ଅର୍ଥାତ୍ ଶୁକ୍ରବାର ମଧ୍ୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ପ୍ରାୟ ୯୩୦.୬୭ ପଏଣ୍ଟ ହ୍ରାସ ପାଇ ୭୫,୩୬୪ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍‌ଟି ୩୪୫ ପଏଣ୍ଟ ହ୍ରାସ ପାଇ ୨୨,୯୦୪ ପଏଣ୍ଟରେ ବନ୍ଦ ହୋଇଥିଲା। ଷ୍ଟକ୍ ବଜାରରେ ଏହି ହ୍ରାସ ଫଳରେ ଶୁକ୍ରବାର ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ।ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଏବଂ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ସର୍ବାଧିକ କ୍ଷତି କରିଛନ୍ତି। ତାଙ୍କ ସମ୍ପତ୍ତି ୩.୬ ବିଲିୟନ ଡଲାର ହ୍ରାସ ପାଇଛି, ଯାହା ତାଙ୍କ ମୋଟ୍ ସମ୍ପତ୍ତି ୮୭.୭ ବିଲିୟନ ଡଲାରକୁ ହ୍ରାସ କରିଛି। ସେହିପରି ଅଦାନୀ ଗ୍ରୁପ୍ ପରିଚାଳନା କରୁଥିବା ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୩ ବିଲିୟନ ଡଲାର ହ୍ରାସ ଘଟିଛି। ତାଙ୍କ ସମ୍ପତ୍ତି ବର୍ତ୍ତମାନ ୫୭.୩ ବିଲିୟନ ଡଲାର। ଓପି ଜିନ୍ଦଲ ଗ୍ରୁପ୍ ର ମାଲିକ ସାବିତ୍ରୀ ଜିନ୍ଦଲ ଏବଂ ପରିବାର ୨.୨ ବିଲିୟନ ଡଲାର ହରାଇଛନ୍ତି। ଏଚ୍‌ସିଏଲ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର ମଧ୍ୟ ଏକ ବଡ଼ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ମୋଟାମୋଟି ଭାବେ ଦେଖିଲେ ବିଏସ୍‌ଇ ତାଲିକାଭୁକ୍ତ କମ୍ପାନୀଗୁଡ଼ିକ ମଧ୍ୟରୁ କେବଳ ହିନ୍ଦୁସ୍ତାନ ୟୁନିଲିଭର୍ ସାମାନ୍ୟ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଟାଟା ଷ୍ଟିଲ୍ ଏବଂ ଲାର୍ସନ୍ ଆଣ୍ଡ୍ ଟୁବ୍ରୋ (ଏଲ୍ ଆଣ୍ଡ୍ ଟି) ସେୟାରଗୁଡ଼ିକ ଯଥାକ୍ରମେ ୭.୩୩% ଏବଂ ୫.୭୮% ପ୍ରତିଶତ ହ୍ରାସ ପାଇଥିଲା। ଟ।।ଟା ମୋଟର୍ସ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଇନଫୋସିସ୍‌, ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚସିଏଲ୍ ଟେକ୍ନୋଲୋଜି ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ଗୁଡ଼ିକର ସେୟାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏସବୁ ଭାରତୀୟ କମ୍ପାନୀ ଦିନକରେ ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button