ରକ୍ତତୀର୍ଥ କଳାମାଟିଆ
ମହାତ୍ମାଗାନ୍ଧୀଙ୍କ ଡ଼ାକରାରେ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ବ୍ୟାପକ ରୂପ ନେଇ ସରିଥାଏ, ନିଜ ବଡବାପା ମଧୁସୂଦନ ଦାସ ଓ ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଖମୟ ଜୀବନ ପାରିତ୍ୟାଗ କରି, ଉଭୟ ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁ ଚୌଧୁରୀ ଜଣେ ସ୍ୱତନ୍ତ୍ରତା ସେନାନୀ ଭାବରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥାଆନ୍ତି, ଗାନ୍ଧିଜୀଙ୍କ ସନ୍ଦେଶ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ୧୯୩୪ ମସିହାରେ ଓ୍ୱାର୍ଦ୍ଧା ଆଶ୍ରମଶୈଳୀରେ କେନ୍ଦ୍ରାପଡା ଓ ଯାଜପୁରର ମଧ୍ୟବର୍ତ୍ତୀ ସ୍ଥାନ ବରୀଠାରେ ସେବାଘର ଆଶ୍ରମ ଗଢ଼ିଥିଲେ ଯାହା ଏବେ ’ବରୀ ଆଶ୍ରମ’ ଭାବରେ ପରିଚିତ । ଭୌଗୋଳିକ ଦୃଷ୍ଟିରୁ ବରୀ ନଦୀନାଳ ବହୁଳ ଅଞ୍ଚଳ ଥିଲା, ବ୍ରିଟିଶ ପୋଲିସମାନଙ୍କ ପାଇଁ ଏହା ଦୁର୍ଗମ ଅଞ୍ଚଳ ଥିବାରୁ ସଂଗ୍ରାମୀ ମାନଙ୍କ ପାଇଁ ଏହା ସୁରକ୍ଷିତ ସ୍ଥାନ ଥିଲା ।
୧୯୪୨ ମସିହା ଅଗଷ୍ଟ ମାସରେ ଗାନ୍ଧୀଜୀଙ୍କ ଭାରତଛାଡ଼ ଆନ୍ଦୋଳନ ସାରା ଭାରତରେ ମୁଣ୍ଡ ଟେକି ଉଠିଥାଏ । ଇଂରେଜମାନଙ୍କୁ ଦେଶରୁ ହଟାଇବା ଓ ପୂର୍ଣ୍ଣ ସ୍ଵରାଜ ପ୍ରତିଷ୍ଠା କରିବାର ସ୍ଵପ୍ନକୁ ସାକାର କରିବା ପାଇଁ ସମାଜର ସବୁ ବର୍ଗର ଲୋକେ ଆଗେଇ ଆସିଥାନ୍ତି । ଓଡ଼ିଶା ତଥା ଦେଶର ପ୍ରମୁଖ ଗାନ୍ଧୀବାଦୀ ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ ଚୌଧୁରୀ ଆନ୍ଦୋଳନର ନେତୃତ୍ୱ ନେଉ ଥାଆନ୍ତି, ତାଙ୍କ ସହ ଅନ୍ନପୂର୍ଣ୍ଣା ମହାରଣା, ଗୋଦାବରୀ ଦେବୀ, ସରଳା ଦେବୀ, ମାଳତୀ ଚୌଧୁରୀ, ରମ୍ଭାଦେବୀ, ପ୍ରଭାବତୀ ଦେବୀ, ପ୍ରିୟମ୍ବଦା ଦେବୀ ଓ ପୂଜ୍ୟ ନବକୃଷ୍ଣ ଚୌଧୁରୀ, ମନମୋହନ ଚୌଧୁରୀ, ଶରତ ମହାରଣା ପ୍ରମୁଖ ସାମିଲ ହୋଇଥାଆନ୍ତି । ସେମାନେ ବାନରସେନା (କିଶୋର କିଶୋରୀ) ମାନଙ୍କୁ ସାଙ୍ଗରେ ଧରି ବରୀ ଅଞ୍ଚଳରେ ଗାଁକୁ ଗାଁ ବୁଲି ପ୍ରଚାର କାର୍ଯ୍ୟ, ସ୍ଵରାଜବାର୍ତ୍ତା, ସେବାକାମ, ହରିଜନ, ଦଳିତମାନଙ୍କ ସୁରକ୍ଷା, ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ଜନସଚେତନତା ସୃଷ୍ଟି କରୁଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ପ୍ରଭବିତ ହୋଇ ବରୀ, ଇନ୍ଦୁପୁର ଓ ଯାଜପୁର ଅଂଚଳର ଅନେକ ସଂଗ୍ରାମୀ ପ୍ରତ୍ୟକ୍ଷ ଭାବେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଆଖପାଖରେ ଜନସାଧାରଣ ମଧ୍ୟ ଉତ୍ସାହର ସହ ସବୁ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ ।
କାଇପଡା ଡାକଘର ପୋଡି: ୧୯୪୨ ମସିହା ଅଗଷ୍ଟ ୯.ତାରିଖ ଦିନ କାଇପଡା ଠାରେ ଥିବା ଡାକଘରକୁ କିଛି ଯୁବ ସଂଗ୍ରାମୀ ମାନେ ନିଆଁ ଲଗେଇ ଦେବାରୁ ଡାକଘରଟି ସମ୍ପୁର୍ଣ୍ଣ ପୋଡି ଯାଇଥାଏ , ଭବିଷ୍ୟତରେ ପୁନଃ ବିଶୃଙ୍ଖଳା ଉପୁଜିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ତତ୍କାଳୀନ ଡ଼ି.ଏସ.ପି ଲକ୍ଷ୍ମଣ ମିଶ୍ର ଓ ବିଂଝାରପୁର ଥାନା ଅଧିକାରୀ ନବାଜ ଖାଁ ପୋଲିସ ପଲଟନ ଧରି କାଇପଡା ସ୍କୁଲ ଠାରେ ଡେରା ପକାଇ ଆନ୍ଦୋଳନ କାରୀ ମାନଙ୍କୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁ ଥାଆନ୍ତି। ୧୯୪୨ ଅଗଷ୍ଟ ମାସ ୨୬ ତାରିଖ , ସେଦିନ ଥିଲା ଗହ୍ମା ପୂର୍ଣ୍ଣିମା ବା ରକ୍ଷାବନ୍ଧନ, ଇଂରେଜ ସରକାର ଲାଗୁ କରିଥିବା ପିଟୁଣି ଟିକସ ବିରୋଧରେ କଳାମାଟିଆ ପଞ୍ଚାୟତର #କାଇପଡା #ଗୋଲାହାଟ ଠାରେ ନିରବ ପ୍ରତିବାଦ ସଭା ଅନୁଷ୍ଠିତ ହେଉଥାଏ, ଅର୍ଣ୍ଣପୂର୍ଣା ଦେବୀଙ୍କ ଦ୍ୱାରା ଆହୁତ ଏହି ପ୍ରତିବାଦ ସଭାରେ ବରୀ ଗାନ୍ଧି ଭାବରେ ପରିଚିତ ବସୁଦେବ ସାମଲ ,ରାଧାକୃଷ୍ଣ ସାମଲ, ଋଷି ବେହେରା, ମଧୁସୂଦନ ନନ୍ଦ, ଭୁବନାନନ୍ଦ ସ୍ଵାଇଁ, କୃଷ୍ଣଚନ୍ଦ୍ର ସାହୁ, ପଦ୍ମନାଭ ମଲ୍ଲିକ, କିଶୋର ଜେନା କ୍ଷେତ୍ରବାସୀ ବେହେରା, ଜାଗିରି ସ୍ୱାଇଁ ଆନାଦି ରାଉତ ପ୍ରମୁଖ ଅଗଧାଡ଼ିର ସଂଗ୍ରାମୀ ମାନେ ପ୍ରମୁଖ ଭୂମିକାରେ ଥାଆନ୍ତି। ଯାଜପୁର ଏସ୍ଡ଼ିିଓଙ୍କ ନିର୍ଦ୍ଦେଶନାରେ ଡ଼ିଏସପି ଲକ୍ଷ୍ମଣ ମିଶ୍ର ଓ ବିଂଝାରପୁର ଥାନା ଅଧିକାରୀ ନଵାବ ଖାଁ ଏକ ପ୍ଲାଟୁନ ଫୋର୍ସ ସହିତ ସଭାସ୍ଥଳୀ କାଇପଡାର ଗୋଲାହାଟଠାରେ ପହଞ୍ଚି ଡାକଘର ପୋଡିରେ ସମ୍ପୃକ ଥିବାର ଦର୍ଶାଇ ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୧ ଜଣ ଆଗଧାଡ଼ିର ସତ୍ୟାଗ୍ରହୀଙ୍କୁ ଗିରଫ କରି ହାତରେ ହାତକଡୀ ପକାଇ ଚଳାଇ ଚଳାଇ ନେଇ କାଇପଡା ସ୍କୁଲରେ ଅଟକ ରଖିଥିଲେ । ଅଟକ ସଂଗ୍ରାମୀ ମାନଙ୍କୁ ବିଂଝାରପୁର ଥାନାକୁ ଚାଲାଣ କରିବା ପାଇଁ ପ୍ରସ୍ତୁତି ଚଳାଇ ଥାଆନ୍ତି , ପୋଲିସର ଏଭଳି ଅନ୍ୟାୟୋଚିତ ପଦକ୍ଷେପର ପ୍ରତିବାଦ କରି ଶହଶହ ଗ୍ରାମବାସୀ ଓ ସଂଗ୍ରାମୀମାନେ ସେଠାରେ ପହଞ୍ଚି ପୋଲିସ ବିରାଧରେ ନାରବାଜି କରି ବନ୍ଦୀ ଥିବା ୧୧ ଜଣ ଅଗଧାଡ଼ିର ସଂଗ୍ରାମୀ ମାନଙ୍କୁ ନିସର୍ତ୍ତରେ ଖଲାସ କରିବା ପାଇଁ ଦାବି କରିଥିଲେ। ଆନ୍ଦୋଳନଙ୍କୁ ପ୍ରଶମିତ କରିବା ପାଇଁ ପୋଲିସ ବଳପ୍ରୟୋଗ କରିବାରୁ ସଂଗ୍ରାମୀ ଓ ଗ୍ରାମବାସୀ ମାନଙ୍କର ପୋଲିସ ସହିତ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏହି ଧସ୍ତାଧସ୍ତି ସମୟରେ ହାଟସାହିର ମାୟାଧର ଭୂୟାଁ ପୋଲିସ ହାତରୁ ବନ୍ଧୁକ ଛଡାଇ ଆଣିଥିଲେ ସକ୍ଷମ ହୋଇଥଲେ। ଏହି ଧସ୍ତାଧସ୍ତି ମଧରେ ପୋଲିସ ବନ୍ଧୁକର ବାୟନଟ (ବନ୍ଧୁକ ଆଗରେ ଲାଗିଥିବା ଛୁରୀ) ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ଅହିଂସା ଆନ୍ଦୋଳନର ଦ୍ୱାହିଦେଇ ସଂଗ୍ରାମୀ ହାଡ଼ିବନ୍ଧୁ ପଣ୍ଡା ପୋଲିସକୁ ବନ୍ଧୁକ ଫେରାଇ ଦେବା ସମୟରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ଉପସ୍ଥିତ ସଂଗ୍ରାମୀ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ହେବାରୁ ପୋଲିସ ପଣ୍ଡାଙ୍କୁ ଛାଡି ଦେଇଥିଲା। ଧୀରେ ଧୀରେ ଭିଡ ସଂଖ୍ୟା ବଢିବାରୁ ପୋଲିସ ଗିରଫ ହୋଇଥିବା ସଂଗ୍ରାମୀ ମାନଙ୍କୁ ବିଂଝାରପୁର ନେବାକୁ ସ୍ଥିର କଲେ। ସେତେବେଳେ ବିଂଝାରପୁର ଯିବାକୁ ହେଲେ ଦୁଧେଇ ନଈର କଳାମାଟିଆ ଘାଟ ହଁ ଏକମାତ୍ର ବାଟ ଥିଲା । ପୋଲିସ ଗିରଫ ହୋଇଥିବା ସମସ୍ତ ସଂଗ୍ରାମୀ ମାନଙ୍କୁ ସାଥିରେ ନେଇ କଳାମାଟିଆ ଘାଟକୁ ଯିବାବାଟରେ କଳାମାଟିଆ (ଏବେକାର ଶହୀଦ ସ୍ତମ୍ଭ ଥିବା ସ୍ଥାନ)ଠାରେ ସଂଗ୍ରାମୀ ଓ ଗ୍ରାମବାସୀମାନେ ପୋଲିସକୁ ଅଟକାଇବାରୁ ଜଣେ ସିପାହୀ ହାଡ଼ିବନ୍ଧୁ ପଣ୍ଡାଙ୍କୁ ବାୟନଟ (ବନ୍ଧୁକ ଆଗରେ ଲାଗିଥିବା ଛୁରୀ)ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପଣ୍ଡା ଛାତିରେ ଗଭୀର ଆଘାତ ଲାଗିଥିଲା । କ୍ରମେ ଅହିଂସା ଆନ୍ଦୋଳନ ହିଂସାର ରୂପ ନେଇଥିଲା । ଅପର ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା। ଆହତ ଅବସ୍ଥାରେ ମଧ୍ୟ ହାଡିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ ହାତରେ ଠେଙ୍ଗା ଧରି ପ୍ରାୟ କୋଡ଼ିଏ ଜଣ ପୋଲିସ ସିପାହୀଙ୍କୁ ବାଡ଼େଇବା ଆରମ୍ଭ କରିବାରୁ ଅନ୍ୟ ସଂଗ୍ରାମୀ ମାନେ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରିଦେଲେ । ସଂଗ୍ରାମୀ ମାନଙ୍କ ଶାଣିତ ଆକ୍ରମଣ ଆଗରେ ତାଲିମପ୍ରାପ୍ତ ପୋଲିସ ଭୟଭୀତ ହୋଇପଡିଥିଲେ। ଘଟଣା ଅଣାୟତ ହେଉ ଥିବାର ଦେଖି ଏସଡିଓ ମିଶ୍ର ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଲେ । ସେଦିନ ୨୮ ରାଉଣ୍ଡ ଗୁଳି ଫୁଟିଥିଲା। ଗୁଳିମାଡ଼ ଯୋଗୁଁ ଶ୍ରୀରାମପୁର ସାଉଣ୍ଟି ମଲ୍ଲିକ ଓ କୃଷ୍ଣନଗର ଗ୍ରାମର ସାନନ୍ଦ ସ୍ୱାଇଁ ଓ ବାୟନଟ ଆକ୍ରମଣରେ ଅତ୍ୟଧିକ ରକ୍ତସ୍ରାବ କାରଣରୁ ମାୟାଧର ଭୂୟାଁ ଘଟଣାସ୍ଥଳରେ ହିଁ ଶହୀଦ ହୋଇଥିଲେ । ସଂଘର୍ଷରେ ଆହତ ହୋଇଥିବା ହାଡିବନ୍ଧୁ ପଣ୍ଡାଙ୍କୁ ଘରକୁ ନେଇଯାଇ ଚିକିତ୍ସା କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ମାତୃଭୂମିର ଟେକ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇ ଦେଶବାସୀଙ୍କ ହୃଦୟରେ ଚିର ଅମର ହୋଇ ରହିଯାଇଥିବା ଭାରତ ମାତାର ସୁଯୋଗ୍ୟ ସନ୍ତାନ ତଥା ବୀରପ୍ରସବିନୀ ବରୀମାଟିର ଚିର ନମସ୍ୟ ବୀର ଶହୀଦ ମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।