ଆଶୁତୋଷ ପରିଡ଼ାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୩ ପୁରସ୍କାର ପାଇବେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା। ସ୍ବରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ ଏହି ପୁରସ୍କାର ପାଇବେ। ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ। ଏକାଡେମୀ ପୁରସ୍କାର ପାଇବା ନେଇ ପରିଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, ମୋର କାବ୍ୟକୁ ସ୍ବୀକୃତି ମିଳିଛି। ଖୁସି ହେବା ସ୍ବାଭାବିକ। ଏହି ପୁରସ୍କାର ଏକ ପ୍ରେରଣା। ମୃତ୍ୟୁ କାହିଁକି ଅପ୍ରସ୍ତୁତ। ବଞ୍ଚି ରହିବା ପାଇଁ ସଂଘର୍ଷ ଓ ଦ୍ୱନ୍ଦ୍ୱ ଭିତରେ ରହି ମଣିଷ ଚେଷ୍ଟା କରିଥାଏ। ମୃତ୍ୟୁ ବାରମ୍ବାର ପରାସ୍ତ ହୁଏ। ମଣିଷର ଜିଜୀବିଷା ଆଗରେ ମୃତ୍ୟୁ ଅପ୍ରସ୍ତୁତ ହୋଇପଡ଼େ। ମୃତ୍ୟୁକୁ ଅତିକ୍ରମ କରି ମଣିଷ ବଞ୍ଚିବାକୁ ଚାହେଁ। ମାନବବାଦୀ ଭାବନା ଓ ମୃତ୍ୟୁ ସମ୍ପର୍କିତ କବିତାଗୁଡ଼ିକ ଏହି ପୁସ୍ତକରେ ରହିଛି। ପୁସ୍ତକଟି ୨୦୨୦ ମସିହାରେ ପ୍ରକାଶିତ ହୋଇଥିଲା। ଏକାଡେମୀ ପକ୍ଷରୁ ୨୪ଟି ଭାଷାରେ ପୁରସ୍କାର ଘୋଷଣା କରାଯାଇଛି। ସେଥିମଧ୍ୟରୁ ୯ଟି କବିତା ପୁସ୍ତକ, ୬ଟି ଉପନ୍ୟାସ, ୫ଟି କ୍ଷୁଦ୍ରଗଳ୍ପ, ୩ଟି ପ୍ରବନ୍ଧ ଓ ଗୋଟିଏ ଲିଟେରାରୀ ଷ୍ଟଡି ରହିଛି। ଆଞ୍ଚଳିକ ଭାଷା ଓଡ଼ିଆରେ ଜୁରୀ ସଦସ୍ୟ ଭାବେ ବିଶିଷ୍ଟ ସାହିତି୍ୟକ ହରପ୍ରସାଦ ଦାସ, ପ୍ରଫେସର କାଳିଦାସ ମିଶ୍ର ଓ ରାଜେନ୍ଦ୍ର କିଶୋର ପଣ୍ଡା ରହିଥିଲେ। ଆସନ୍ତା ବର୍ଷ ମାର୍ଚ୍ଚ ୧୨ରେ ନୂଆଦିଲ୍ଲୀସ୍ଥିତ କମନ ଅଡିଟୋରିୟମ୍‌ରେ ଏହି ପୁରସ୍କାର ପ୍ରାଦନ କରାଯିବ। ଆଶୁତୋଷ ପରିଡ଼ା ୧୯୪୬ ଫେବୃୟାରୀରେ କେନ୍ଦ୍ରାପଡ଼ା ଜିଲାରେ ଜନ୍ମଗ୍ରହଣ କରିଥିଲେ। ସେ ରାଉରକେଲାର ଆରଇସିରେ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଏହାପରେ ସେ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଥିଲେ। ପରେ ପରିଡ଼ା ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବେଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ। କେବଳ ଜଣେ ବରିଷ୍ଠ ବୈଜ୍ଞାନିକ ନୁହନ୍ତି, କବି ଭାବେ ମଧ୍ୟ ସେ ସୁପ୍ରତିଷ୍ଠିତ। ସେ ଯୁକ୍ତ ଯାତନା, ଇପ୍‌ସିତ କ୍ରୋଧ, ଚଣ୍ଡାଳ, ଶବ୍ଦଭେଦୀ ଭଳି କବିତା ପୁସ୍ତକ ରଚନା କରିଛନ୍ତି। କବିତା ସଙ୍କଳନ ଇପ୍‌ସିତ କ୍ରୋଧ ପାଇଁ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ତାଙ୍କର ବହୁ କବିତା ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅନୁବାଦିତ ହୋଇଛି।

Related Articles

Leave a Reply

Your email address will not be published.

Back to top button