ଶୁକ୍ରବାର ଭାରତ ବନ୍ଦ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବର ୨୬ ତାରିଖଠାରୁ ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ପଞ୍ଜାବ, ଚଣ୍ଡିଗଡ଼, ହରିୟାଣାର ହଜାର ହଜାର ସଂଖ୍ୟାରେ ଚାଷୀ କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ପ୍ରତିବାଦରେ ଆନ୍ଦୋଳନ କରିଆସୁଛନ୍ତି। ସେମାନଙ୍କ ଏହି ଆନ୍ଦୋଳନକୁ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ୪ ମାସ ପୂରୁଛି। କେନ୍ଦ୍ର ସରକାର ୪ ମାସ ସମୟ ଭିତରେ କେନ୍ଦ୍ର ସରକାରଙ୍କ ସହ ଏକାଧିକ ବାର ଆଲୋଚନା କରିଥିଲେ ମଧ୍ୟ ଏବେ ବି କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ। ଚାଷୀମାନେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଏହି ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଏହି ଆନ୍ଦୋଳନକୁ ୪ ମାସ ପୂରିବା ପରିପ୍ରେକ୍ଷୀରେ ଚାଷୀମାନେ ଭାରତ ବନ୍ଦ ପାଇଁ ଡାକରା ଦେଇଛନ୍ତି। ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଅନ୍ୟତମ ସଂଗଠନ ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ପକ୍ଷରୁ ଏପରି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଶୁକ୍ରବାର ପ୍ରାତଃ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ପାଳନ କରିବା ସକାଶେ ମୋର୍ଚ୍ଚା ଆହ୍ବାନ ଦେଇଛି। ଏହି ଆନ୍ଦୋଳନ ସମୟରେ ଦେଶର ସମସ୍ତ ରାସ୍ତାଘାଟ ବନ୍ଦ ରହିବା ସହ ଯାନବାହନ ଚଳାଚଳକୁ ବାରଣ କରାଯାଇଛି। ଏହାଛଡ଼ା ସମସ୍ତ ସାର୍ବଜନୀନ ସ୍ଥାନ ଓ ବଜାର ହାଟ ବନ୍ଦ ରହିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ପୂର୍ବରୁ ଅନ୍ୟତମ ଚାଷୀ ନେତା ବୁଟା ସିଂ ବୁର୍ଜଗିଲ୍ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନ ପ୍ରତିବାଦରେ ଚାଲିଥିବା ଆନ୍ଦୋଳନକୁ ମାର୍ଚ୍ଚ ୨୬କୁ ୪ ମାସ ପୂରୁଛି। ତେଣୁ ଉକ୍ତ ଦିନ ଆମେ ଭାରତ ବନ୍ଦ ପାଇଁ ଆହ୍ବାନ ଦେବୁ। ଏହି ୧୨ଘଣ୍ଟିଆ ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ତରିକାରେ ପାଳନ କରାଯିବ ବୋଲି ବୁର୍ଜଗିଲ୍ କହିଥିଲେ। ସେହିପରି ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ହୋଲିକା ଦହନ ପର୍ବ ଅବସରରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ଲେଖା ଥିବା କପି ପୋଡ଼ାଯିବ ବୋଲି ଚାଷୀନେତାମାନେ କହିଥିଲେ। ଏହାଛଡ଼ା ଭାରତୀୟ କିସାନ୍ ୟୁନିଅନ୍ (ବିକେୟୁ) ସଭାପତି ରାକେଶ ଟିକାୟତ ଗତ ମଙ୍ଗଳବାର କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିରୋଧରେ ଜାରି ରହିଥିବା ଆନ୍ଦୋଳନ କଦାପି ପଛକୁ ହଟିବ ନାହିଁ। କୃଷକ ଏକତାକୁ କେହି ବି ବିଭାଜନ କରିପାରିବେ ନାହିଁ। ଆଗାମୀ ଦିନରେ ଆନ୍ଦୋଳନରତ ଚାଷୀମାନେ ଆବଶ୍ୟକ ପଡ଼ିଲେ ବ୍ୟାରିକେଡ୍ ଭାଙ୍ଗି ରାଜଧାନୀରେ ପ୍ରବେଶ କରିବେ ବୋଲି ମଧ୍ୟ ଜୟପୁରଠାରେ ଏକ ସଭାକୁ ସମ୍ବୋଧନ କରିବା ଅବସରରେ ଟିକାୟତ ଚେତାବନୀ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button